ଜୟପୁର: ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତ ଜେଲ୍ ଯାଇଛନ୍ତି । ଏନଆଇଏ ଆଜି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିବା ବେଳେ ଆଜି ଜାମିନ ଖାରଜ ହୋଇଯିବା ପରେ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଏହି ୩ ଜଣ ଅଭିଯୁକ୍ତ ହେଲେ ମହମ୍ମଦ ରିୟାଜ୍ ଅକ୍ତରୀ, ଘୋଜ୍ ମହମ୍ମଦ ଏବଂ ଫରହାଦ୍ ମହମ୍ମଦ ସେଖ୍। ଏନଆଇର କହିବା ଅନୁଯାୟୀ, ଫରହାଦ୍ ହେଉଛି ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ୍ଙ୍କର ଘନିଷ୍ଟ ସହଯୋଗୀ । ଗତ ଜୁନ୍ ୨୮ ତାରିଖରେ କହ୍ନେୟାଲାଲଙ୍କୁ ହତ୍ୟା କରାଯାଇଥିଲା। ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସମର୍ଥନ କରି ଏକ ପୋଷ୍ଟ କରିଥିବାରୁ ତାଙ୍କୁ ଧର୍ମୀୟ ବିଦ୍ୱେଷର ଶିକାର ହେବାକୁ ପଡ଼ିଥିଲା।
୨ ଜଣ ଆତତାୟୀ ତାଙ୍କ ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲେ। ଏହା ପରେ ଭଭେୟ ଏକ ଭିଡିଓ ପୋଷ୍ଟ କରିଥିଲେ। ସେଥିରେ କୁହାଯାଇଥିଲା ଯେ, ନୂପୁର ଶର୍ମା ଇସଲାମ ଓ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରିଥିଲେ।
ସେଭଳି ଜଣେ ଲୋକଙ୍କୁ ସମର୍ଥନ କରିଥିବାରୁ ଦୁଇ ଯୁବକ ପ୍ରତିଶୋଧ ନେବା ପାଇଁ ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିବା ଭିଡିଓରେ କହିଥିଲେ। ଦେଶବ୍ୟାପି ବେଶ ଆଲୋଡ଼ନ ସୃଷ୍ଟି କରିଥିଲା ଏହି ଅପରାଧ। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ(ୟୁଏପିଏ) ମାମଲା ରୁଜୁ କରାଯାଇଥିଲା ।





