ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା ଉଦୟନିଧି ଷ୍ଟାଲିନଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ବାପା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସେ ଏକ ବିବୃତି ଜାରି କରି କହିଛନ୍ତି ଯେ, ଉଦୟନିଧି କେବଳ ସନାତନରେ ଥିବା ଅମାନବୀୟ ନୀତି ଗୁଡ଼ିକ ସମ୍ପର୍କରେ କହିଥିଲେ।ଏହି ଅମାନବୀୟ ନୀତି ଯୋଗୁ ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ କ୍ଷେତ୍ରରେ ଭେଦଭାବ ସୃଷ୍ଟି କରୁଛି। କୌଣସି ଧର୍ମ କିମ୍ବା ଧାର୍ମିକ ବିଶ୍ୱାସକୁ ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ଏମକେ ଷ୍ଟାଲିନ କହିଛନ୍ତି।
ଷ୍ଟାଲିନ ଆହୁରି କହିଛନ୍ତି ଯେ, କିଛି ଲୋକ ଜାତି ଭିତ୍ତିକ ଭେଦଭାବର ପ୍ରଚାର କରୁଛନ୍ତି ଓ ଧାର୍ମିକ ପ୍ଲାଟଫର୍ମରେ ମହିଳାଙ୍କୁ ଏବେ ବି ବଦନାମ କାରୁଛନ୍ତି। ବିଜେପି ସପକ୍ଷବାଦୀମାନେ ଏହି ଅମାନବୀୟ ନୀତିକୁ ବିରୋଧ କରୁଥିବା ଲୋକଙ୍କୁ ସମାଲୋଚନା କରୁଛନ୍ତି। ଏଥିସହ ଉଦୟନିଧିଙ୍କ ବୟାନକୁ ନେଇ ମିଛ କଥା ପ୍ରଚାର କରାଯାଉଥିବା ମଧ୍ୟ ଷ୍ଟାଲିନ କହିଛନ୍ତି।
ସେ କହିଛନ୍ତି ଯେ, “ଆମେ ଚନ୍ଦ୍ରଯାନ ଜହ୍ନକୁ ପଠାଇ ସାରିଥିଲେ ମଧ୍ୟ କିଛି ଲୋକ ଜାତିଗତ ଭେଦଭାବକୁ ପ୍ରଚାର କରିବାରେ ଲାଗିଛନ୍ତି। ସେମାନେ ବର୍ଣ୍ଣାଶ୍ରମ ନୀତି ଆଧାରରେ ସାମାଜିକ ସନ୍ତୁଷ୍ଟି କଥା କହୁଛନ୍ତି ଓ ଶାସ୍ତ୍ରର ଉଦାହରଣ ଦେଉଛନ୍ତି। କିଛି ଲୋକ ମହିଳାଙ୍କୁ ଅପମାନିତ କରିବାରେ ଲାଗିଛନ୍ତି। ମହିଳାମାନେ କାମ କରିବା ଉଚିତ ନୁହେଁ ଓ ବିଧବାମାନେ ଆଉ ଥରେ ବିବାହ କରିବା କଥା ନୁହେଁ ବୋଲି କହୁଛନ୍ତି। ସେମାନେ ମହିଳାଙ୍କ ସ୍ୱର ଚାପି ଦେବାକୁ ସନାତନ ଶବ୍ଦର ବ୍ୟବହାର କରୁଛନ୍ତି। ଉଦୟନିଧି କେବଳ ସେସବୁ ଦମନ କାର୍ଯ୍ୟ ବିରୋଧରେ କହିଥିଲେ। ଏହି ଆଦର୍ଶରେ ଚାଲିଥିବା ସବୁ କାମର ବିଲୋପ ସପକ୍ଷରେ ସେ ମତ ରଖିଥିଲେ।”
ବିଜେପିର ଟ୍ରୋଲ ଆର୍ମି ମିଛର ପ୍ରଚାର କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସମାଲୋଚନା କରିଛନ୍ତି। ସେମାନେ ମିଛ କହି ଉଦୟନିଧି ସନାତନ ଚିନ୍ତାଧାରା ରଖିଥିବା ଲୋକଙ୍କ ନରସଂହାର ପାଇଁ ଆହ୍ୱାନ ଦେଇଥିବା କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଷ୍ଟାଲିନ ଅଭିଯୋଗ କରିଛନ୍ତି।





