ଏପର୍ଯ୍ୟନ୍ତ ୧୧ ହଜାରରୁ ଉଦ୍ଧ୍ୱ ରୁଷ ସେନାକୁ ନିହତ କରିଥିବାର ଦାବି କଲା ୟୁକ୍ରେନ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୧୧ ଦିନ ଧରି ଯୁଦ୍ଧ ଚାଲିଛି । ଏହି ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ସୈନ୍ୟ ପ୍ରାଣ ହରାଉଛନ୍ତି । ଏହା ମଧ୍ୟରେ ଏପର୍ଯ୍ୟନ୍ତ ୧୧ ହଜାରରୁ ଉଦ୍ଧ୍ୱ ରୁଷ ସେନାକୁ ନିହତ କରିଥିବାର ୟୁକ୍ରେନ ଦାବି କରିଛି । ଏଥି ସହିତ ୪୪ଟି ଫାଇଟର୍ ଜେଟ୍, ୪୮ ଲଢୁଆ ହେଲିକପ୍ଟର ମଧ୍ୟ ନଷ୍ଟ ହୋଇସାରିଛି । ସେହିଭଳି ରୁଷର ୨୮୫ଟି ଟ୍ୟାଙ୍କ ଧ୍ୱଂସ ହୋଇସାରିଥିବା ବେଳେ, ୧୦୯ ଆର୍ଟିଲାରି ଗନ ଓ ୫୦ ଏମଏଲଆରଏସ ନଷ୍ଟ ହୋଇଛି ବୋଲି ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ସେପଟେ ଏହାରି ଭିତରେ ଅନେକ ୟୁକ୍ରେନ୍ ଛାଡିସାରିଲେଣି । ଅନ୍ୟପଟେ ୟୁକ୍ରେନ ସର୍ତ୍ତ ମାନିଲେ ଯୁଦ୍ଧ ବନ୍ଦ ହେବ ବୋଲି ରୁଷ କହିଛି । ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗନଙ୍କ ସହ ଆଲୋଚନା ପରେ ଏହି ଦାବି କରାଯାଇଛି।

ଆଜି ତୁର୍କୀ ରାଷ୍ଟ୍ରପତି ଏରଡୋଗନ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆଲୋଚନା କରିଥିଲେ। ରୁଷର ଏକ ବଡ ସର୍ତ୍ତ ହେଉଛି ୟୁକ୍ରେନ ନାଟୋରେ ଯୋଗଦେବା ଉଚିତ୍ ନୁହେଁ। ରୁଷ ବହୁ ବର୍ଷ ଧରି କହିଆସୁଛି ଯେ ୟୁକ୍ରେନ ଯାହା ଚାହିଁବ ତାହା କରିବା ଉଚିତ, କିନ୍ତୁ ନାଟୋରେ ଯୋଗଦେବା ଉଚିତ ନୁହେଁ। ରୁଷ ଦାବି କରିଛି ଯେ ୟୁକ୍ରେନର ନାଟୋ ସଦସ୍ୟ ହେବା ଆମର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ହେଲେ ୟୁକ୍ରେନ ପୁଟିନଙ୍କ କଥାକୁ ସ୍ୱୀକାରନକରି ନାଟୋରେ ମିଶିବା ପାଇଁ ଆଗ୍ରହୀ ଥିଲେ । ଯାହାଫଳରେ ଉଭୟ ଦେଶରେ ଯୁଦ୍ଧ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଦେଖିବାର ବିଷୟ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବାର ଯୁଦ୍ଧର ଅନ୍ତ ଘଟୁଛି ।

Related Posts