‘ଅଳ୍ପ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ବିପଦ’; ଜେଲରୁ ଚିଠି ଲେଖିଲେ ମନୀଷ ସିସୋଦିଆ

ଭୁବନେଶ୍ୱର,୭/୪(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତିହାର ଜେଲରେ ଥାଇ ସିସୋଦିଆ ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଦେଶ ପାଇଁ ବିପଦ । ମୋଦି ଶିକ୍ଷାର ମହତ୍ତ୍ବ ଜାଣନ୍ତି ନାହିଁ । ସେ ବିଜ୍ଞାନ ବୁଝନ୍ତି ନାହିଁ । ଦେଶର ବିକାଶ ପାଇଁ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦରକାର ବୋଲି ସିସୋଦିଆ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଚିଠିକୁ ଟ୍ବିଟ୍ କରିଛନ୍ତି । ଏହି ଚିଠିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବା ଦେଶ ପାଇଁ ଅତ୍ୟନ୍ତ ବିପଦଜ୍ଜନକ । ମୋଦି ଶିକ୍ଷାର ମହତ୍ତ୍ବ ବୁଝନ୍ତି ନାହିଁ । ଗତ କିଛି ବର୍ଷ ଭିତରେ ଦେଶରେ ୬୦ ହଜାର ସ୍କୁଲ ବନ୍ଦ କରାଯାଇଛି । ଭାରତର ପ୍ରଗତି ପାଇଁ ପାଠପଢା ପ୍ରଧାନମନ୍ତ୍ରୀ ଜରୁରୀ । ଏକବିଂଶ ଶତାବ୍ଦୀରେ ଯେଉଁଠି ବିଶ୍ବ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଆର୍ଟିଫିସିଆଲ ଇଣ୍ଟେଲିଜିଏନ୍ସ(କୃତ୍ରିମ ବୁଦ୍ଧିମତା) କ୍ଷେତ୍ରରେ ଦ୍ରୁତ ପ୍ରଗତି କରୁଛି ସେଠାରେ ଆମ ଦେଶର ପ୍ରଧାନମନ୍ତ୍ରୀ ଡ୍ରେନରୁ ବାହାରୁଥିବା ଗ୍ୟାସରେ ଚା’ ଏବଂ ସ୍ନାକ୍ସ ତିଆରି କରିବା କଥା କହୁଛନ୍ତି ।

ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ପ୍ରଧାନମନ୍ତ୍ରୀ ଟିଭି ଚ୍ୟାନେଲରେ ଦେଇଥିବା ଏକ ବୟାନକୁ ମନେ ପକାଇ ସିସୋଦିଆ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ କହିଲେ ବାଦଲ ଭିତରେ ଉଡୁଥିବା ଜାହାଜକୁ ରାଡାର ଠାବ କରିପାରିବ ନାହିଁ ବୋଲି ସେତେବେଳେ ସାରା ଦୁନିଆର ଲୋକେ ତାଙ୍କ ଉପରେ ହସିଲେ । ସ୍କୁଲ ଓ କଲେଜରେ ପଢୁଥିବା ପିଲା ତାଙ୍କର ଉପହାସ କରନ୍ତି । ଏହି ପ୍ରକାର ବୟାନ ଦେଶ ପାଇଁ ବିପଦଜନକ । ଏହାଦ୍ବାରା ସମଗ୍ର ବିଶ୍ବ ଜାଣିପାରେ ଯେ, ଭାରତର ପ୍ରଧାନମନ୍ତ୍ରୀ କେତେ ଶିକ୍ଷିତ । ତାଙ୍କୁ ବିଜ୍ଞାନ ବିଷୟରେ କିଛି ଜଣାନାହିଁ ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ ଲେଖିଛନ୍ତି, ଅନ୍ୟ ଦେଶର ରାଷ୍ଟ୍ର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ଆଲିଙ୍ଗନ କରିବା ବେଳେ ଏହାର ଅତ୍ୟନ୍ତ ଭାରି ପଡିଥାଏ । କାରଣ ଏହି ଆଲିଙ୍ଗନର ବଦଳରେ ଜଣାନାହିଁ ସେମାନେ କେତେ କାଗଜରେ ତାଙ୍କର ଦସ୍ତଖତ କରିନିଅନ୍ତି । ପ୍ରଧାନମନ୍ତ୍ରୀ କମ୍ ଲେଖାପଢା ଜାଣିଥିବାରୁ ସେହିସବୁ କାଗଜରେ କଣ ଲେଖା ହୋଇଥାଏ ପଢି ପାରନ୍ତି ନାହିଁ । ମୋଦି ଏକ ଭିଡିଓରେ ଗର୍ବ ସହକାରେ କହିଥିଲେ ସେ କେବଳ ସ୍କୁଲ ଯାଏଁ ପଢିଛନ୍ତି । ଯେଉଁ ଦେଶର ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବାକୁ ନେଇ ଗର୍ବ କରୁଛନ୍ତି ସେହି ଦେଶର ପିଲାଙ୍କ ଉତ୍ତମ ଶିକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ ପାରିବ ନାହିଁ ବୋଲି ସିସୋଦିଆ ଚିଠିରେ ଉଲ୍ଲେଖ କରିଛନ୍ତି ।

Related Posts