ଅବକାରୀ ଦୁର୍ନୀତି ମାମଲା; ଦିଲ୍ଲୀ ରାଓଜ ଏଭିନ୍ୟୁ କୋର୍ଟରେ ଜାମିନ ଆବେଦନ କଲେ ସିସୋଦିଆ

ଭୁବନେଶ୍ଵର,୩/୩(ସତ୍ୟପାଠ ବ୍ୟୁରୋ): ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସରକାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ରାଓଜ ଏଭିନ୍ୟୁ କୋର୍ଟରେ ଜାମିନ ଆବେଦନ ଫାଇଲ କରିଛନ୍ତି । ସିସୋଦିଆଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ପରେ ସେ ତଳକୋର୍ଟରେ ନିଜର ଜାମିନ ଆବେଦନ କରିଛନ୍ତି। ଏନେଇ ଆସନ୍ତାକାଲି କୋର୍ଟ ଶୁଣାଣି କରିବେ । ସେପଟେ ଶନିବାର ଦିନିଆ ସିବିଆଇ ରିମାଣ୍ଡ ଶେଷ ହେବାକୁ ଯାଉଛି ।ଏଣୁ ଶନିବାର ଦିନ କୋର୍ଟରେ ସିସୋଦିଆଙ୍କ ହାଜର କରିବ ସିବିଆଇ ।

ଅନ୍ୟପଟେ ଏହା ପୂର୍ବରୁ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ଏହାସହ କୋର୍ଟ ପରାମର୍ଶ ଦେଇଥିଲେ କି ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବାକୁ ପଡିବ । ସୂଚନା ଥାଉକି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା । ଫେବୃଆରୀ ୨୬ ତାରିଖରେ ସିବିଆଇ ପ୍ରଥମେ ସିସୋଦିଆଙ୍କୁ ୮ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା । ଏହାପରେ ଫେବୃଆରୀ ୨୭ ତାରିଖରେ ତାଙ୍କୁ ରାଓଜ ଏଭିନ୍ୟୁ କୋର୍ଟରେ ହାଜର କରି କୋର୍ଟଙ୍କ ଠାରୁ ୫ଦିନିଆ ରିମାଣ୍ଡ ପାଇଁ ଅନୁମତି ନେଇଥିଲା ସିବିଆଇ ।

ଏସବୁ ଭିତରେ ଫେବୃଆରୀ ୨୮ ତାରିଖରେ ମନୀଷ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କେବଳ ମନୀଷ ସିସୋଦିଆ ନୁହଁନ୍ତି ଦୀର୍ଘଦିନ ହେବ ଜେଲରେ ଥିବା କେଜ୍ରିୱାଲ ସରକାରଙ୍କ ଜେଲମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ସମାନ ଦିନରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ଏହି ଦୁଇମନ୍ତ୍ରୀଙ୍କ ଇସ୍ତଫା ପରେ କେଜ୍ରିୱାଲ ସରକାର ସୌରଭ ଭରଦ୍ୱାଜ ଓ ଅତଶୀ ମାରଲିନାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି ।

Related Posts