ଭୁବନେଶ୍ବରରେ ଜି-୨୦ ସମ୍ମିଳନୀର ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୩/୪(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ ହୋଇଛି। ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ଭୁବନେଶ୍ୱରଠାରେ ଜି-୨୦ ‘ଶିକ୍ଷା ୱାର୍କିଂ ଗ୍ରୁପ୍’ର ତୃତୀୟ ବୈଠକର ଅବ୍ୟବହିତ ପୂର୍ବରୁ ଆଇଏମଏମଟି ପରିସରରେ ଆୟୋଜିତ ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀ ଉଦଘାଟିତ ହୋଇଛି।

ଏହି ପ୍ରଦର୍ଶନୀକୁ ଲୋକାର୍ପଣ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ‘ଭବିଷ୍ୟତର କାର୍ଯ୍ୟଶୈଳୀ’ ପାଇଁ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଇଛନ୍ତି। ସମ୍ମିଳନୀର ବିଷୟବସ୍ତୁ ରହିଛି, ‘ଭବିଷ୍ୟତ କାର୍ଯ୍ୟଶୈଳୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ’। ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ ଲର୍ଣ୍ଣିଂ ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବ। ଭାରତର ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟଶୈଳୀକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଛି। ଜିଲ୍ଲାଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ, ରି-ସ୍କିଲିଂ ଓ ଅପ-ସ୍କିଲିଂ ର ଆବଶ୍ୟକତା ଉପରେ ବ୍ୟାପକ ବିଚାରବିମର୍ଶ କରି ସବୁଠି ପହଞ୍ଚାଇବା ଉପରେ ଆଲୋଚନା ହେବ। ଆଜି ଅନୁଷ୍ଠିତ ସମ୍ମିଳନୀରେ ଶିଳ୍ପ, ସରକାରୀ ସଂସ୍ଥା, ଆଇଟି କମ୍ପାନି ଓ ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି।

Related Posts