ତିରୁବନନ୍ତପୁରମ୍: ଜାବାହର୍ଲାଲ୍ ନେହେରୁଙ୍କ ନାମରେ ନାମିତ ସବୁଠୁ ବର୍ଣ୍ଣାଢ଼୍ୟ ଜଳକ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏନେଇ କେରଳର ବାମପନ୍ଥୀ ସରକାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ କରିଛନ୍ତି । ଯାହାକୁ ନେଇ ବର୍ଷିଛି କଂଗ୍ରେସ । ତୀବ୍ର ସମାଲୋଚନା କରିଛି।
କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା କଥା ସାମ୍ପ୍ରଦାୟିକ ଶକ୍ତି ପ୍ରତି ଆନୁଗତ୍ୟ ଏବଂ ‘ବିଜେପି’ ପ୍ରତି ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ ଶ୍ରଦ୍ଧାକୁ ସୂଚାଉଛି।
କିନ୍ତୁ, ଉପରୋକ୍ତ ନିଷ୍ପତ୍ତିକୁ ପ୍ରାସଙ୍ଗିକ ବୋଲି ଦର୍ଶାଇବାକୁ ଯାଇ କେରଳ ସରକାର କହିଛନ୍ତି, ୩୦ତମ ‘ଜୋନାଲ୍ କାଉନ୍ସିଲ୍’ ବୈଠକରେ ଯୋଗ ଦେବା ପାଇଁ ସେପ୍ଟେମ୍ବର ୩ରେ ଗୃହମନ୍ତ୍ରୀ ଶାହ ଏବଂ ଦାକ୍ଷିଣାତ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେରଳରେ ସମବେତ ହେଉଥିବା କାରଣରୁ ସେପ୍ଟେମ୍ବର ୪ ତାରିଖରେ ଆଲାପୁଝାର ପୁନ୍ନମଦା ହ୍ରଦରେ ହେବାକୁ ଥିବା ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଦେଖିବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି।
‘କେପିସିସି’ର ମୁଖ୍ୟ କେ. ସୁଧାକରନ୍ କହିଛନ୍ତି, ଜବାହର୍ଲାଲ୍ ନେହେରୁଙ୍କୁ ସବୁଠୁ ଅଧିକ ଅପମାନ ଦେଇଥିବା ଓ ଉପେକ୍ଷା କରିଥିବା ବ୍ୟକ୍ତିଙ୍କୁ ତାଙ୍କ ନାମରେ ନାମିତ ନୌଚାଳନା ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବା ଆପତ୍ତିଜନକ।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, କେରଳ ସରକାର କେବଳ ଶାହଙ୍କୁ ନୁହେଁ, ତାମିଲନାଡୁ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳ ଲକ୍ଷାଦ୍ବୀପ ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପର ଉପରାଜ୍ୟପାଳଙ୍କୁ ମଧ୍ୟ ‘ନେହେରୁ ଟ୍ରଫି ବୋଟ୍ ରେସ୍’କୁ ନିମନ୍ତ୍ରଣ କରାଯାଇଛି।
ଉଲ୍ଲେଖଯୋଗ୍ୟ, ସ୍ବାଧୀନତା ପରେ ପ୍ରଥମ କେରଳ ଗସ୍ତରେ ନେହେରୁ ୧୯୫୨ ମସିହାରେ କୁଟ୍ଟନାଡ଼ାରେ ପହଞ୍ଚିଥିଲେ। ତାଙ୍କ ଏହି ଗସ୍ତକୁ ସ୍ମରଣୀୟ କରିବା ପାଇଁ ଉପରୋକ୍ତ ନୌଚାଳନା ପ୍ରତିଯୋଗିତାକୁ ତାଙ୍କରି ନାମାନୁସାରେ ନାମିତ କରାଯାଇଛି।
ସେତେବେଳେ କୋଟ୍ଟାୟାମ୍ରୁ ଆଲାପ୍ପୁଝାକୁ ଯାଉଥିବା ନେହେରୁଙ୍କୁ ବିଶାଳକାୟ ସର୍ପଫଣାକୃତି ନୌକା ସବୁ ବାଟ କଢ଼ାଇ ନେବା ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧନା ଓ ନୌକାଯାତ୍ରାରେ ଅଭିଭୂତ ହୋଇପଡ଼ିଥିବା ନେହେରୁ ନୌଚାଳନା ପ୍ରତିଯୋଗିତାରେ ବିଜୟ ଲାଭ କରୁଥିବା ବିଜେତାଙ୍କୁ ଦେବା ପାଇଁ ଟ୍ରଫିଟିଏ ଦାନ କରିଥିଲେ। ପରେ ଉକ୍ତ ଟ୍ରଫିର ନାମ ‘ନେହେରୁ ଟ୍ରଫି’ ରଖାଯାଇଥିଲା।





