କୋର୍ଟ ଗୁଡିକରେ ଆଞ୍ଚଳିକ ଭାଷା ବ୍ୟବହାର ଉପରେ ଜୋର୍ ଦେଲେ କେନ୍ଦ୍ର ଆଇନ୍ ମନ୍ତ୍ରୀ

‘ଭଲ ଇଂରାଜୀ ଜାଣି ଥିବାରୁ ଅତ୍ୟଧିକ ଅର୍ଥ ଦାବି କରୁଛନ୍ତି କିଛି ଆଇନଜୀବୀ’: କିରଣ ରିଜିଜୁ

ଭୁବନେଶ୍ୱର,୩/୫(ସତ୍ୟପାଠ ବ୍ୟୁରୋ): ଦେଶର ପ୍ରତ୍ୟେକ ରାଜ୍ୟର କୋର୍ଟ ଗୁଡିକରେ ଆଞ୍ଚଳିକ ଭାଷାର ବ୍ୟବହାର କରାଯିବା ଉଚିତ୍। ମହାରାଷ୍ଟ୍ର ଓ ଗୋଆ ବାର୍ କାଉନସିଲ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏଭଳି କହିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ। ସେ ଆହୁରି କହିଛନ୍ତି ଯେ, ଆମ କୋର୍ଟ ଗୁଡିକରେ ଆମେ କାହିଁକି ଆଞ୍ଚଳିକ ଭାଷା ଗୁଡ଼ିକର ବ୍ୟବହାର କରୁ ନାହୁଁ। ଦେଶର ମାତ୍ର ୫ଟି ହାଇକୋର୍ଟ ହିନ୍ଦୀ ଭାଷାକୁ ବ୍ୟବହାର କରୁଛନ୍ତି। ଆମ ପାଖରେ ଅନୁବାଦର ସମସ୍ତ ବ୍ୟବସ୍ଥା ଅଛି। ଆମର ଆବଶ୍ୟକ ଟେକ୍ନୋଲୋଜି ଥିବା ସତ୍ତ୍ୱେ ଏହାକୁ କାହିଁକି ବ୍ୟବହାର କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହାସହିତ କିଛି ଆଇନଜୀବୀଙ୍କ ଉପରେ ପ୍ରଶ୍ନ ଉଠାଇ ରିଜିଜୁ କହିଛନ୍ତି ଯେ, ଅଳ୍ପ କିଛି ଆଇନଜୀବୀ କେବଳ ଭଲ ଇଂରାଜୀ ଜାଣି ଥିବାରୁ ଅତ୍ୟଧିକ ଅର୍ଥ ଦାବି କରୁଛନ୍ତି। ଯାହା ସାଧାରଣ ଲୋକଙ୍କ ଉପରେ ଏକ ଚାପ ସଦୃଶ ହଉଛି। ହିନ୍ଦୀ ଆମ ରାଷ୍ଟ୍ର ଭାଷା, ତେବେ କାହିଁକି ନ୍ୟାୟିକ ବ୍ୟବସ୍ଥାରେ ଏହାକୁ ବ୍ୟବହାର କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ମହିଳା ଆଇନଜୀବୀ ଓ ବିଚାରପତି ନିଯୁକ୍ତି ବିଷୟରେ ସେ କହିଛନ୍ତି ଯେ, ଅଧିକରୁ ଅଧିକ ମହିଳା ଆଇନଜୀବୀ ଓ ବିଚାରପତି ମାନେ ଆମ ନ୍ୟାୟିକ ବ୍ୟବସ୍ଥା ମଧ୍ୟକୁ ଆସନ୍ତୁ ବୋଲି ଆମେ ଚାହୁଁଛୁ। ଅଧିକ ମହିଳା ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟର କଲେଜିୟମ୍ ଅଧିକ ମହିଳାଙ୍କ ନାମ ସୁପାରିସ କରିବାକୁ ମଧ୍ୟ ସେ କହିଛନ୍ତି।

Related Posts