କୋର୍ଟରୁମ୍‌ରେ ପରିଣତ ହେଲା ୟୁପି ବିଧାନସଭା; ୧୮ ବର୍ଷ ତଳର ସ୍ୱାଧିକାର ଭଙ୍ଗ ମାମଲାରେ ଦିନକ ପାଇଁ ବନ୍ଦୀ ହେଲେ ୬ ପୁଲିସ କର୍ମଚାରୀ

ଭୁବନେଶ୍ୱର,୪/୩(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଶୁକ୍ରବାର ଏକ ବିରଳ ଘଟଣା ଘଟିଛି। ଗତକାଲି ୟୁପି ବିଧାନସଭା ଏକପ୍ରକାର କୋର୍ଟରୁମ୍‌ରେ ପରିଣତ ହୋଇଥିଲା। ଏହି ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା ୬ ଜଣ ପୁଲିସଙ୍କୁ ଦିନକ ପାଇଁ ବନ୍ଦୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨ ଦଶନ୍ଧି ତଳର ଏକ ସ୍ବାଧିକାର ଭଙ୍ଗ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ୨୦୦୪ ମସିହାରେ ତତ୍କାଳୀନ ବିଜେପି ବିଧାୟକ ସଲିଲ ବିଷ୍ଣୋଇଙ୍କ ସ୍ବାଧିକାର ଭଙ୍ଗ ମାମଲାରେ ୬ ଜଣ ପୁଲିସ ଦଣ୍ଡିତ ହୋଇଛନ୍ତି। ୧୮ ବର୍ଷ ତଳେ ଏହି ସ୍ବାଧିକାର ଭଙ୍ଗ ନୋଟିସ୍‌ ଦିଆଯାଇଥିଲା।

ତତ୍କାଳୀନ ବିଧାୟକ ବିଷ୍ଣୋଇ କାନପୁରରେ ବିଜୁଳି କାଟକୁ ବିରୋଧ କରି ଏକ ପ୍ରତିନିଧି ଦଳ ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଯାଉଥିବା ବେଳେ ପୁଲିସ କର୍ମୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ବିଧାୟକ ବୋଲି ପରିଚୟ ଦେବା ପରେ ମଧ୍ୟ ତାଙ୍କୁ ଗାଳିଗୁଲଜ କରି ପ୍ରବଳ ମାଡ଼ ମାରିଥିଲେ। ଏହି ପୁଲିସକର୍ମୀ ହେଉଛନ୍ତି କାନପୁରର ତତ୍କାଳୀନ ସର୍କଲ୍‌ ଅଫିସର ଅବଦୁଲ ସମଦ (ଅବସରପ୍ରାପ୍ତ) ,ତତ୍କାଳୀନ ଏସଏଚଓ ଶ୍ରୀକାନ୍ତ ଶୁକ୍ଳା, ତତ୍କାଳୀନ ଏସ୍‌ଆଇ ତ୍ରିଲୋକି ସିଂହ, କନେଷ୍ଟବଳ ଛୋଟେ ସିଂହ, ବିନୋଦ ମିଶ୍ର ଏବଂ ମେହରବନ ସିଂହ। ସେମାନଙ୍କ ବିରୋଧରେ ଆଜି ଗୃହରେ ବିଚାରଣ ଆରମ୍ଭ ହୋଇଥିଲା ଏବଂ ବିଧାନସଭା ଏକ କୋର୍ଟରୁମ୍‌ରେ ପରିଣତ ହୋଇଥିଲା।

ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା ଗୋଟିଏ ସଂକଳ୍ପ ଆଗତ କରି ୬ ପୁଲିସ୍‌ କର୍ମଚାରୀଙ୍କୁ ରାତି ୧୨ଟା ଯାଏ ବନ୍ଦୀ କରି ରଖିବାକୁ କହିଥିଲେ। ଏହାକୁ ଗ୍ରହଣ କରି ବାଚସ୍ପତି ସତୀଶ ମହାନା ରାୟ ଶୁଣାଇଥିଲେ। ନିର୍ଦ୍ଦେଶ ମୁତାବକ ପୁଲିସ୍‌ କର୍ମଚାରୀମାନଙ୍କୁ ବିଧାନସଭା ବିଲଡିଂ ମଧ୍ୟରେ ଥିବା ଗୋଟିଏ ରୁମରେ ବନ୍ଦୀ ହୋଇ ରହିବେ। ସେମାନଙ୍କୁ ସେଠାରେ ଖାଦ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ବିଧାନସଭା କୋର୍ଟ ବିଚାରଣ ସମୟରେ ସମାଜବାଦୀ ପାର୍ଟିର କୌଣସି ବିଧାୟକ ଉପସ୍ଥିତ ନଥିଲେ। ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଗୃହରେ ଉପସ୍ଥିତ ନଥିବା ବେଳେ ସେ ଗୃହର ଏଭଳି ପଦକ୍ଷେପକୁ କଡ଼ା ନିନ୍ଦା କରିଛନ୍ତି। ଏହା ଭୁଲ୍‌ ପରମ୍ପରା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

Related Posts