ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଟୁଇଷ୍ଟ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଘନିଷ୍ଠ ସମ୍ପର୍କୀୟ ହରିୟମ ଯାଦବଙ୍କୁ ଫିରୋଜାବାଦର ସରସାଗଞ୍ଜ ଆସନରୁ ଟିକେଟ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଉତ୍ତରପ୍ରଦେଶ ରାଜନୀତି ବେଶ ସରଗରମ ହୋଇ ଉଠିଛି । ବିଶେଷକରି ସମାଜବାଦୀ ପାର୍ଟିକୁ ବଡ଼ ଝଟକା ଲାଗିଥିବାର ଅନୁମାନ କରାଯାଉଛି । କାହିଁକିନା ସରସାଗଞ୍ଜକୁ ମିଶାଇ ୬ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ତାଙ୍କର ବେଶ ପ୍ରଭାବ ରହିଛି । ସେପଟେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତୃତୀୟ ତଥା ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେପି ୮୫ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଯେଉଁଥିରେ ୩୦ ଜଣ ଓବିସି, ୧୯ ଜଣ ଏସସି ଓ ୧୫ ଜଣ ମହିଳାଙ୍କୁ ଟିକେଟ ଦିଆଯାଇଛି । ନିକଟରେ ହରିୟମ ଯାଦବ ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ମିଶିଥିଲେ ।
ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଦୀନେଶ ଶର୍ମାଙ୍କ ଉପସ୍ଥିତିରେ ଜାନୁଆରୀ ୧୨ ତାରିଖରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଅନ୍ୟପଟେ ପାର୍ଟି ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ହରିୟମ ଯାଦବଙ୍କ ସାମଜବାଦୀ ପାର୍ଟି ୬ ବର୍ଷ ପର୍ଯ୍ୟନ୍ତ ବହିଷ୍କାର କରିଥିଲା । ହରିୟମ ବ୍ୟତୀତ ୟୁପି ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ତାଲିକାରେ ରାୟବରେଲିର ବର୍ତ୍ତମାନର ବିଧାୟକ ଆଦିତ୍ୟ ସିଂ ମଧ୍ୟ ଅଛନ୍ତି । ଯିଏ କିଛି ଦିନ ପୂର୍ବରୁ ହିଁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।
ଯେଉଁ ଆସନରୁ ସେ ପୂର୍ବରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବିଜେପି ସେହି ଆସନୁ ହିଁ ତାଙ୍କୁ ଟିକେଟ ଦେଇଥିବାର ଦେଖିବାକୁ ମିଳିଛି । ସେପଟେ ଉତ୍ତରପ୍ରଦେଶରେ ୪୦୩ ବିଧାନସଭା ଆସନ ପାଇଁ ଭୋଟ୍ ଫେବୃଆରୀ ୧୦ ରୁ ସାତୋଟି ପର୍ଯ୍ୟାୟରେ ଆରମ୍ଭ ହେବ । ଫେବୃଆରୀ ୧୦, ୧୪, ୨୦, ୨୩, ୨୭ ଏବଂ ମାର୍ଚ୍ଚ ୩ ଏବଂ ୭ ରେ ଉତ୍ତରପ୍ରଦେଶରେ ସାତୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏବଂ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣନା କରାଯିବ । ବର୍ତ୍ତମାନ ଦେଖିବାର ବିଷୟ ଉତ୍ତରପ୍ରଦେଶରେ କିଏ ବାଜି ମାରୁଛି ।





