ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ନୂଆ ନୂଆ ଟୁଇଷ୍ଟ ସାମ୍ନାକୁ ଆସୁଛି । ଏହା ମଧ୍ୟରେ କଂଗ୍ରେସରୁ ଟିକେଟ ମିଳିବା ପରେ ବି କଂଗ୍ରେସ ଛାଡ଼ି ବେଶ ଚର୍ଚ୍ଚାରେ ରହିଛନ୍ତି ହାଇଦର ଅଲ୍ଲୀ ଖାନ । ଦଳ ତାଙ୍କୁ ଟିକେଟ ଦେବା ସତ୍ତ୍ୱେ ମଧ୍ୟ ସେ କଂଗ୍ରେସ ଛାଡ଼ି ବିଜେପି ସହ ମିଳିତ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆପନା ଦଳରେ ଯାଇ ମିଶିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇଉଠିଛି । ସେପଟେ ହାଇଦର ଅଲ୍ଲୀ ଖାନ ୨୦୧୪ ପରେ ୟୁପି ନିର୍ବାଚନରେ ପ୍ରଥମ ମୁସଲିମ ପ୍ରାର୍ଥୀ ଭାବରେ ଟିକେଟ ପାଇଛନ୍ତି । ନିର୍ବାଚନ ପୂର୍ବରୁ ବିଜେପି କିମ୍ବା ଏହାର ସହଯୋଗୀ ଦଳ ଏପରି ବହୁତ କମ ହିଁ କରିଥାନ୍ତି । ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ଏପରି କରି ନୂଆ ରଣନୀତି ଆପଣାଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି । ଅନ୍ୟପଟେ ଆପନା ଦଳ ରାମପୁର ଜିଲ୍ଲାର ସ୍ୱାର ସିଟରୁ ହାଇଦର ଅଲ୍ଲୀ ଖାନଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି । ସେପଟେ ଏହି ଆସନରୁ ସମାଜବାଦୀ ପାର୍ଟିର ସାଂସଦ ଆଜାମ ଖାନଙ୍କ ପୁଅ ଅବଦୁଲ୍ଲା ଆଜାମ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି ।
ଅପନା ଦଳ ପକ୍ଷରୁ ଏହି ଘୋଷଣା ଏକ ସମୟରେ ଆସିଛି ଯେତେବେଳେ ଅନୁପ୍ରିଆ ପଟେଲଙ୍କ ନେତୃତ୍ୱାଧୀନ ଅପନା ଦଳ ଏବଂ ସଞ୍ଜୟ ନିଶାଦଙ୍କ ନିଶାଦ ପାର୍ଟି ସହ ବିଜେପିର ଆସନ ବାଣ୍ଟିବା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ଏହା ପୂର୍ବରୁ ବିଜେପି କିମ୍ବା ଏହାର ସହଯୋଗୀ ଦଳ ନିର୍ବାଚନରେ ମୁସଲିମ ପ୍ରାର୍ଥୀକୁ ମଇଦାନରେ ଓହ୍ଲାଇବା ଅତ୍ୟନ୍ତ ବିରଳ ଅଟେ । କେବଳ ଏତିକି ନୁହେଁ ବରଂ ହାଇଦର ଅଲ୍ଲୀ ଖାନ ରାମପୁରର ରାଜପରିବାର ଅଟନ୍ତି । ତାଙ୍କ ଜେଜେବାପା ଜୁଲଫିକର ଅଲି ଖାନ ରାମପୁରର ପାଞ୍ଚ ଥର କଂଗ୍ରେସ ସାଂସଦ ରହିଆସିଛନ୍ତି। ହାୟଦାରଙ୍କ ପିତା ନବାବ କାଜିମ ଅଲି ଖାନ ଚାରିଥର ବିଧାୟକ ହୋଇଛନ୍ତି।
ସେପଟେ କାଜିମ ଅଲି ବର୍ତ୍ତମାନ ରାୱାର ଆସନରୁ କଂଗ୍ରେସ ପ୍ରାର୍ଥୀ ଅଟନ୍ତି। କଂଗ୍ରେସ ଦଳ ମଧ୍ୟ ହାଇଦର ଅଲ୍ଲୀ ଖାନଙ୍କୁ ସ୍ୱର ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲା । କିନ୍ତୁ ଏହା ପରେ ସେ ହଠାତ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କୁ ଭେଟିଥିବାର କଥା ସାମ୍ନାକୁ ଆସିଥିଲା । ଏହା ପରେ ତାଙ୍କୁ ସ୍ୱର ଆସନରୁ ଆପନା ଦଳର ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।





