ନୀତୀଶ କୁମାରଙ୍କ ସହ ବିବାଦ ମଧ୍ୟରେ ଜେଡିୟୁ ଛାଡିଲେ ଉପେନ୍ଦ୍ର କୁଶୱାହା, ଗଠନ କଲେ ରାଷ୍ଟ୍ରୀୟ ଲୋକ ଜନତା ଦଳ

ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ମଧ୍ୟରେ ଆଜି ଶେଷରେ ଜେଡିୟୁ ଛାଡିଛନ୍ତି ବରିଷ୍ଠ ରାଜନେତା ଉପେନ୍ଦ୍ର କୁଶୱାହା। ପୂର୍ବରୁ ଜେଡିୟୁରେ ସେ ରହିଥିଲେ ମଧ୍ୟ ବିଭିନ୍ନ ବୟାନ ପାଇଁ ସେ ବିଦ୍ରୋହୀ ଭାବେ ଗଣାଯାଉଥିଲେ। ତଥାପି ସେ ଜେଡିୟୁର ସଂସଦୀୟ ବୋର୍ଡ ସଭାପତି ରହିଥିଲେ। ନୀତୀଶ କୁମାରଙ୍କ ସହ ବିବାଦ କାରଣରୁ ତାଙ୍କୁ ଦଳ ଛାଡ଼ିବାକୁ କୁହାଯାଇଥିଲା।

ତେବେ ପ୍ରାଥମିକ ଅବସ୍ଥାରେ ଦଳ ଛାଡ଼ିବା ସପକ୍ଷରେ ନଥିବା କୁଶୱାହା ଆଜି ଶେଷରେ ଜେଡିୟୁକୁ ଅଲବିଦା କହିଛନ୍ତି। ସେ ସୋମବାର ଜେଡିୟୁ ସହ ସବୁ ସମ୍ପର୍କଚ୍ଛିନ୍ନ କରୁଥିବା ଘୋଷଣା କରିବାସହ ରାଷ୍ଟ୍ରୀୟ ଲୋକ ଜନତା ଦଳ ନାଁରେ ସେ ନୂଆ ରାଜନୀତିକ ସଂଗଠନ ଗଠନ କରିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ଆମେ ନୂଆ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ଆମ ଦଳର ନାଁ ରାଷ୍ଟ୍ରୀୟ ଲୋକ ଜନତା ଦଳ ରହିବ। ସର୍ବସମ୍ମତିକ୍ରମରେ ଏପରି ନିଷ୍ପତ୍ତି ହୋଇଛି। ମୋତେ ଦଳର ଜାତୀୟ ସଭାପତି କରାଯାଇଛି। ଦଳ କାରପୋଲି ଠାକୁରଙ୍କ ବିଚାରକୁ ନେଇ ଆଗକୁ ବଢିବ। ଆମେ ଆରଜେଡି ସହ ହୋଇଥିବା ବୁଝାମଣାକୁ ଅଗ୍ରାହ୍ୟ କରିବା ଦିଗରେ କାମ କରିବୁ।

କୁଶୱାହା ଜେଡିୟୁ ଛାଡ଼ିବା ସହ ବିହାର ବିଧାନ ପରିଷଦର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଗତବର୍ଷ ଏପ୍ରିଲ ଯାଏ ମୋଦି ସରକାରରେ ମନ୍ତ୍ରୀ ଭାବେ କାମ କରୁଥିବା ଉପେନ୍ଦ୍ର କୁଶୱାହା ନିକଟରେ ଜେଡିୟୁ-ଆରଜେଡି ମହାଗଠବନ୍ଧନରେ ସାମିଲ ହୋଇଥିଲେ। ଏଥିସହ ନିଜର ରାଷ୍ଟ୍ରୀୟ ଲୋକ ସମତା ପାର୍ଟିକୁ ଜେଡିୟୁରେ ଲୀନ କରିଥିଲେ। କିନ୍ତୁ ଏବେ ମହାଗଠବନ୍ଧନରେ ଆରଜେଡିର ଦବଦବା ବଢ଼ୁଥିବାରୁ ସେ ବିଦ୍ରୋହ ଘୋଷଣା କରିଥିଲେ। ଏପରି କି ନୀତୀଶ କୁମାର ତାଙ୍କୁ ଦଳ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

Related Posts