ଜାତିସଂଘ ସୁରକ୍ଷା ବୈଠକରେ ଋଷର ଅଭିଯୋଗକୁ ଆମେରିକାର ଖଣ୍ଡନ: ଜୈବିକ ଅସ୍ତ୍ର ନିର୍ମାଣ ନେଇ ରୁଷ କରୁଛି ମିଛ ପ୍ରଚାର

ଜାତିସଂଘ ସୁରକ୍ଷା ବୈଠକରେ ଋଷ ଉପରେ ବର୍ଷିଛନ୍ତି ଆମେରିକାର ପ୍ରତିନିଧି | ରୁଷ ମିଛ ପ୍ରଚାର କରୁଥିବା ନେଇ ଅଭିଯୋଗ ଆଣିଛନ୍ତି | ୟୁକ୍ରେନରେ ଆମେରିକା ସହାୟତାରେ ଜୈବିକ ଅସ୍ତ୍ର ନିର୍ମାଣ ହେଉଛି ବୋଲି ଋଷ ଅଭିଯୋଗ ଆଣିବା ପରେ ଏହି ଅଭିଯୋଗ ଖଣ୍ଡନ କରିଛି ଆମେରିକା | ଜାତିସଂଘ ସୁରକ୍ଷା ପରିଷଦ ଏହି ପ୍ରସଙ୍ଗକୁ ନେଇ ବୈଠକ ଡାକିଥିବା ବେଳେ, ବୈଠକରେ ଆମେରିକା କହିଛି, ୟୁକ୍ରେନରେ ଜୈବିକ ଅସ୍ତ୍ର ନିର୍ମାଣ ନେଇ କୌଣସି ଲାବୋରେଟୋରୀ ନାହିଁ । ଦିନକୁ ଦିନ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ମହାସମର ଜଟିଳ ହେଉଥିବା ବେଳେ, ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରର ଆର୍ଥିକ କଟକଣାକୁ ନେଇ ବିଚଳିତ ହେବାରେ ଲାଗିଛି ରୁଷ | ଏନେଇ ସେ ମିଛ ପ୍ରଚାର କରୁଥିବା କହିଛନ୍ତି ଆମେରିକାର ପ୍ରତିନିଧି |

ୟୁକ୍ରେନ କିମ୍ବା ଋଷିଆ ସୀମାନ୍ତ ଦେଶରେ ଆମେରିକା ସହାୟତାରେ ଏପରି କାର୍ଯ୍ୟକ୍ରମ ହେଉନାହିଁ । ଆକ୍ରମଣକୁ ଠିକ୍ ବୋଲି ଦର୍ଶାଇବା ପାଇଁ ଋଷ ଏଭଳି ପ୍ରଚାର କରୁଛି ବୋଲି ଅଭିଯୋଗ କରିଛି ଆମେରିକା ।

ଏହି ବୈଠକରେ ୟୁକ୍ରେନ ଓ ଋଷିଆ ବିବାଦ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ହେବା ଉଚିତ ବୋଲି କହିଛି ଭାରତ । ଜୈବିକ ଅସ୍ତ୍ର ବିରୋଧରେ ହୋଇଥିବା ଚୁକ୍ତିକୁ ସମସ୍ତେ ସମ୍ମାନ ଦେବା ଉଚିତ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍. ତ୍ରିମୂର୍ତି କହିଛନ୍ତି ।

Related Posts