ଉତ୍ତରପ୍ରଦେଶ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ଅଜୟ କୁମାର ଲଲ୍ଲୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ଅଜୟ କୁମାର ଲଲ୍ଲୁ । ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଲାଗି ପ୍ରଦେଶ କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁ ନିଜକୁ ନୈତିକ ରୂପେ ଦାୟୀ କରିଛନ୍ତି ଓ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଲଲ୍ଲୁ ଏ ନେଇ ଏଆଇସିସି କାର୍ୟ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏକ ପତ୍ର ଲେଖିଥିବା ବେଳେ ପାର୍ଟିର ସମସ୍ତ କାର୍ୟ୍ୟକର୍ତ୍ତା ଓ ପଦାଧିକାରୀ ପୂର୍ଣ୍ଣ ପ୍ରାଣରେ କାର୍ୟ୍ୟକରି ଦଳକୁ ଗ୍ରାମସ୍ତର ପର୍ୟ୍ୟନ୍ତ ପହଞ୍ଚାଇଥିଲେ, ଏହା ସତ୍ତ୍ୱେ ପାର୍ଟିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ବୋଲି ଉଲ୍ଲେଖ କରିଛନ୍ତି। ଏଥିଲାଗି ସେ ନିଜକୁ ଦାୟୀ କରିବା ସହିତ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି।

ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିପାରିଛି। ପ୍ରଦେଶ କଂଗ୍ରେସ ସଭାପତି ଲଲ୍ଲୁ ନିଜେ କୁଶିନଗର ତମକୁହି ରାଜ ସିଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏହା କଂଗ୍ରେସର ସବୁଠାରୁ ଶୋଚନୀୟ ପରାଜୟ ବୋଲି ଏବେ କୁହାଯାଉଛି। ଏହା ପରେ ଉତ୍ତରପ୍ରଦେଶ କଂଗ୍ରେସ ପର୍ୟ୍ୟବେକ୍ଷକ ପ୍ରିୟଙ୍କା ଭଦ୍ରା ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ କଂଗ୍ରେସର ନେତାଙ୍କ ବୈଠକ ଡାକିଥିଲେ। ଏଥିରେ ହୁଏତ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଇସ୍ତଫା ଦେବା ଲାଗି କୁହାଯାଇଥାଇପାରେ ବୋଲି ଏବେ ଆଲୋଚନା ହେଉଛି। ଏ ଖବର ସାମ୍ନାକୁ ଆସିବା ପରେ ଏହା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts