ଭୁବନେଶ୍ୱର,୧୬/୧(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷରୁ ଆରମ୍ଭ ହେବାକୁ ଥିବା ମହିଳା ଆଇପିଏଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ମହିଳା ଆଇପିଏଲର ପ୍ରସାରଣ ଅଧିକାର ବା ମିଡିଆ ରାଇଟ୍ ଭାୟକମ୍ ୧୮କୁ ମିଳିଛି। ସଂସ୍ଥା ୯୫୧ କୋଟି ଟଙ୍କା ଦେଇ ମିଡିଆ ରାଇଟ୍ ପାଇଛି। ଆସନ୍ତା ୫ବର୍ଷ ଅର୍ଥାତ ୨୦୨୩ରୁ ୨୦୨୭ ଯାଏ ଭାୟକମ ପାଖରେ ମିଡିଆ ରାଇଟ ରହିବ। ପ୍ରତି ମ୍ୟାଚ୍ର ମୂଲ୍ୟ ୭.୦୯ କୋଟି ଟଙ୍କା ରହିଛି ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି।
ଭାୟକମ ୧୮ ପ୍ରସାରଣ ଅଧିକାର ପାଇଥିବାରୁ ସଂସ୍ଥା ପାଖରେ ଥିବା ସ୍ପୋର୍ଟସ ୧୮ ଚ୍ୟାନେଲରେ ମହିଳା ଆଇପିଏଲର ସିଧାପ୍ରସାରଣ ହେବ।
ଶାହ ଆଜି ଟ୍ୱିଟ କରି କହିଛନ୍ତି ଯେ, “ମହିଳା ଆଇପିଏଲର ମିଡିଆ ରାଇଟ ପାଇଥିବା ଭାୟକମ ୧୮କୁ ଶୁଭେଚ୍ଛା। ବିସିସିଆଇ ଓ ବିସିସିଆଇ ମହିଳା ଉପରେ ବିଶ୍ୱାସ ଦେଖାଇଥିବାରୁ ଧନ୍ୟବାଦ। ଭାୟକମ ୯୫୧ କୋଟି ଦେବାକୁ ପ୍ରତିଶ୍ରୁତିବଦ୍ଧ। ଏହାର ଅର୍ଥ ଆସନ୍ତା ୫ ବର୍ଷ ପାଇଁ ଗୋଟିଏ ମ୍ୟାଚର ମୂଲ୍ୟ ୭.୦୯ କୋଟି ଟଙ୍କା। ଆଜିର ମିଡିଆ ରାଇଟ୍ ବିଡିଂରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଭାରତରେ ମହିଳା କ୍ରିକେଟକୁ ଏହି ପଦକ୍ଷେପ ଆହୁରି ଆଗକୁ ଦେବ।”
ସୂଚନାଯୋଗ୍ୟ ଯେ, ମହିଳା ଆଇପିଏଲ ପାଇଁ ଜାନୁଆରୀ ୩ରେ ଟିମ୍ କିଣିବାକୁ ଦରଖାସ୍ତ ଆହ୍ୱାନ କରିଥିଲା ବିସିସିଆଇ। ପ୍ରଥମ ସଂସ୍କରଣରେ ମୋଟ ୫ଟି ଟିମ ଭାଗ ନେବେ। ମାର୍ଚ୍ଚ ମାସରେ ମହିଳା ଆଇପିଏଲ ଆରମ୍ଭ ହେବ। ଭାଗ ନେବାକୁ ଥିବା ୫ ଟିମ ସମ୍ପର୍କରେ ବିସିସିଆଇ ଜାନୁଆରୀ ୨୫ରେ ଘୋଷଣା କରିବ। ୧୦ଟି ସହରରେ ମହିଳା ଆଇପିଏଲର ସମସ୍ତ ମ୍ୟାଚ୍ ଖେଳାଯିବ।





