କର୍ଣ୍ଣାଟକରେ ବିଜୟ ମୁହାଁ କଂଗ୍ରେସ; ଦଳ ଜିତିଲେ କିଏ ହେବ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର,୧୩/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଟ୍ରେଣ୍ତ ଅନୁସାରେ କଂଗ୍ରେସ ମ୍ୟାଜିକ୍ ନମ୍ବର ମଧ୍ୟ ପାର କରିସାରିଛି । କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରୁଥିବା ସ୍ପଷ୍ଟ ଜଣାପଡିଛି। ଦଳ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡୁଛି। ବର୍ତ୍ତମାନ କଂଗ୍ରେସ ୧୩୭ ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୬୩ଟି ଆସନରେ ଆଗୁଆ ରହିଛି । ସେହିଭଳି ଜେଡିଏସ ମାତ୍ର ୨୦ଟି ସିଟ୍ ରେ ଆଗୁଆ ରହିଛି।

ଏପରି ସ୍ଥିତିରେ ବର୍ତ୍ତମାନର ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଯେ, ଯଦି କଂଗ୍ରେସ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରେ ତେବେ କିଏ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇଜଣ ବରିଷ୍ଠ ନେତାଙ୍କ ନା ସାମିଲ ଅଛି । ପ୍ରଥମ ନେତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଦ୍ୱିତୀୟ ନେତା ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର।ଗୋଟିଏ ପଟେ ସିଦ୍ଧରମୈୟା ଦଳର ଜଣେ ବଡ ନେତା ଭାବରେ ବିବେଚନା କରାଯାଉଥିବା ବେଳେ ଅନ୍ୟପଟେ ଡି.କେ ଶିବକୁମାରଙ୍କୁ ରାଜ୍ୟର ମୁଖ୍ୟ ରଣନୀତିଜ୍ଞ ଭାବେ ବିବେଚନା କରାଯାଏ ।

ବିଶେଷ ସୁତ୍ରରୁ ପ୍ରକାଶ ଯେ, ଦଳ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରା ପଦରେ ବସାଇବାର ନିଷ୍ପତ୍ତି ନେଇଛି । ଯଦିଓ ରାଜ୍ୟରେ କଂଗ୍ରେସର ବିଜୟ ପାଇଁ ଡି.କେ ଶିବକୁମାରଙ୍କୁ ମୁଖ୍ୟ ରଣନୀତିଜ୍ଞ ଭାବେ ବିବେଚନା କରାଯାଉଛି ।

ରିପୋର୍ଟ ଅନୁସାରେ, ରାଜ୍ୟରେ ସରକାର ଗଠନ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି । ସିଦ୍ଧରମୈୟା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ଏବଂ ଡି.କେ ଶିବକୁମାରଙ୍କୁ ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ । ପରବର୍ତ୍ତୀ ସମୟରେ ଡି.କେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଦ ଦିଆଯାଇପାରେ । ପ୍ରାରମ୍ଭିକ ଟ୍ରେଣ୍ତ ଅନୁସାରେ, କଂଗ୍ରେସ ଦଳ ଏକ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବା ପାଇଁ ଯାଉଛି ।

ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଦଳର ବିଧାୟକ ଦଳ ବୈଠକ ବସିବ ଏହି ବୈଠକରେ ଦଳର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତୃବୃନ୍ଦ ବସି କିଏ ମୁଖ୍ୟମନ୍ତ୍ରୀ ହେବ ତାଙ୍କୁ ଚୟନ କରିବେ। ସେପଟେ କଂଗ୍ରେସ ଏଭଳି ବିଜୟ ପାଇଁ ସେ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଅଭିନନ୍ଦନ ସହ ଧନ୍ୟବାଦ୍ ଜାଣିଛନ୍ତି।

ସେପଟେ ଦିଲ୍ଲୀ ଠୁ ନେଇ କର୍ଣ୍ଣାଟକ ଓ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ କଂଗ୍ରେସ ର କର୍ଣ୍ଣାଟକ ବିଜୟ ଖୁସିକୁ କର୍ମୀ ମାନେ ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେଟ କରୁଛନ୍ତି।

Related Posts