ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡିରେ ସାମିଲ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ଅରବିନ୍ଦ । କେନ୍ଦ୍ରାପଡା ଜିଲ୍ଲାର ବିଜେଡି ନେତା ଓ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ନିଜ କର୍ମୀଙ୍କ ଗହଣରେ ଆସି ଦଳରେ ସାମିଲ ହୋଇଛନ୍ତି ଅରବିନ୍ଦ ।
ବିଜେଡିରେ ସାମିଲ ହେବା ପରେ ଅରବିନ୍ଦ କହିଛନ୍ତି, ଆଜି ବହୁତ ଶୁଭ ଦିନ । ଆଜି ବିଜେଡିରେ ଯୋଗ ଦେଇଛି । ଏଭଳି ନିଷ୍ପତ୍ତି ନେବା ପଛର କାରଣ ବାବଦରେ ଅରବିନ୍ଦ କହିଛନ୍ତି, ୨୦୧୯ ପରଠାରୁ ଅନେକ ଦିନ ହେବ ମୁଁ ପାଟକୁରାରେ ବୁଲି ଆସୁଛି । ମୋତେ ଲାଗିଲା ମୋତେ ଏକ ଏଭଳି ମଞ୍ଚ ଦରକାର ଯେଉଁଠି ମୁଁ ପାଟକୁରାର ବିକାଶକୁ ଆଗକୁ ନେଇପାରିବି । ନିଷ୍ପତ୍ତି ନେବା ଆଗରୁ ପାଟକୁରାବାସୀଙ୍କ ସହ ଆଲୋଚନା କରିଛି ଓ ପରାମର୍ଶ ନେଇଛି । ବାପାଙ୍କ ଆଶୀର୍ବାଦ ନେବା ସହ ପାଟକୁରାର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେଲି । ପାଟକୁରା,କେନ୍ଦ୍ରାପଡା ଓ ଓଡ଼ିଶାବାସୀଙ୍କ ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେବାକୁ ଇଚ୍ଛାପ୍ରକାଶ କଲି ।ଏଭଳି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଧନ୍ୟବାଦ । ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ ତାହାକୁ ସୁଚାରୁରୂପେ ତୁଲାଇବି ବୋଲି କହିଛନ୍ତି ଅରବିନ୍ଦ ।
ସୂଚନାଯୋଗ୍ୟ ଯେ, ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ ବିଜୟ ପଟ୍ଟନାୟକ | ହେଲେ ୨୦୦୦ ମସିହା ନିର୍ବାଚନରେ ଏକ ନାଟକୀୟ ଘଟଣାକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ଟିକେଟ କାଟିଦେଇଥିଲେ | ସେବେଠାରୁ ବିଜୟ ଆଉ ବିଧାନସଭାକୁ ନିର୍ବାଚିତ ହୋଇ ପାରିନାହାନ୍ତି | ହେଲେ ଆଜି ବିଜୟଙ୍କ ପୁଅ ଅରିନ୍ଦମ ବିଜେଡିରେ ସାମିଲ ହୋଇଛନ୍ତି | ଅରିନ୍ଦମ ବିଜେଡିରେ ମିଶିବା ସହିତ ବିଜୟଙ୍କ ରାଜନୈତିକ କ୍ୟାରିୟରର ଅନ୍ତ ହୋଇଛି ବୋଲି କୁହାଯାଉଛି |





