ଦେବଗଡ ଆଦର୍ଶ ଥାନା ଉଟୁଣିଆମୁଣ୍ଡା ଗାଁରେ ଶଳାକୁ ପିଟିପିଟି ମାରିଲା ଭିଣୋଇ

ଦେବଗଡ: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ଓ ସହଯୋଗୀ ମିଶି ପିଟିପିଟି ହତ୍ୟା କରିଛନ୍ତି। ଏନେଇ ପୋଲିସ୍ ଅଭିଯୁକ୍ତି ଭିଣୋଇ ଏବଂ ତାଙ୍କୁ ଏହି ହତ୍ୟାକାଣ୍ଡରେ ସହଯୋଗୀ କରିଥିବା ସହଯୋଗୀଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡା ନାମକ ଜଣେ ଯୁବକଙ୍କ ବଡ ଭଉଣୀ ଜେମା ମୁଣ୍ଡାଙ୍କୁ ସିଙ୍ଗରାଇ ମୁଣ୍ଡା ନାମକ ଜଣେ ବ୍ୟକ୍ତି ତିନି ବର୍ଷ ତଳେ ଭଲପାଇ ଦ୍ବିତୀୟ ସ୍ତ୍ରୀ ଭାବରେ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ବର୍ଷକ ତଳେ ଜେମାଙ୍କ ବାପାର ମୃତ୍ୟୁ ହେବା ପରେ ସେ ନିଜ ଘରକୁ ଶୁଦ୍ଧି କ୍ରିୟା ରେ ଯୋଗଦାନ କରିବାକୁ ଆସିଥିଲେ। ଶୁଦ୍ଧିକ୍ରିୟା ପରେ ଜେମା ଆଉ ସ୍ବାମୀ ସିଙ୍ଗରାଇ ସହ ନ ଯାଇ ଅନ୍ୟ ଜଣେ ଯୁବକଙ୍କ ସହ ପୁଅକୁ ସାଙ୍ଗରେ ନେଇ ଫେରାର ହୋଇଯାଇଥିଲେ। ପରେ ଜେମା ଦ୍ଵିତୀୟ ସ୍ଵାମୀ ସହିତ ଆସି ଗାଆଁରେ ରହୁଥିଲେ ।

ଗତ ୩ ତାରିଖ ଦିନ ଜେମା ଓ ତାଙ୍କ ମାଆ ମିଶି ରମେଶଙ୍କୁ ସିଙ୍ଗରାଇଙ୍କ ଘରକୁ ପଠାଇଥିଲେ। ସିଙ୍ଗରାଇଙ୍କ ଔରସରୁ ଜନ୍ମ ହୋଇଥିବା ଶିଶୁପୁତ୍ରକୁ ସେ ନେଇଯିବା ପାଇଁ ରମେଶ ତାଙ୍କୁ କହିଥିଲେ । ଏହି ଘଟଣାକୁ ନେଇ ରମେଶ ଓ ସିଙ୍ଗରାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ସିଙ୍ଗରାଇ ଓ ତାର ସହଯୋଗୀ କଇରା ଲୁହୁରା ମିଶି ରମେଶକୁ ନିକଟସ୍ଥ ପାହାଡ଼ ଉପରକୁ ନେଇ ମଦ ପିଆଇବା ପରେ ଇଟାରେ ଛେଚି ଛେଚି ମାରି ଦେଇଥିଲେ । ରମେଶକୁ ମାରିବା ପରେ ପାହାଡ ଉପରେ ତାର ଶବକୁ ଫିଙ୍ଗି ଦେଇ ଡାଳ ପତ୍ର ଘୋଡାଇ ଚାଲିଆସିଥିଲେ ।

ଏପଟେ ପୁଅ ରମେଶ ଘରକୁ ନଫେରିବାରୁ ତାଙ୍କ ମାଆ ଏନେଇ ଦେବଗଡ ଆଦର୍ଶ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ତଦନ୍ତ ବେଳେ ନିଖୋଜ ରମେଶଙ୍କୁ ସିଙ୍ଗରାଇ ଓ ସହଯୋଗୀ କଇରା ମିଶି ମାରି ଦେଇଥିବା ଜଣାପଡିଥିଲା । ରବିବାର ପାହାଡ ଉପରେ ଜଙ୍ଗଲ ମଧ୍ୟରୁ ରମେଶଙ୍କ ଶବ ଠାବ କରାଯାଇଥିଲା । ଶବ ମିଳିବା ପରେ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁସନ୍ଧାନ କରିଛନ୍ତି । ଘଟଣାସ୍ଥଳରୁ ରମେଶଙ୍କ ମୋବାଇଲ ଫୋନ କୁ ଭଙ୍ଗାରୁଜା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣାରେ ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଅଭିଯୁକ୍ତ ସିଙ୍ଗରାଇ ଓ କଇରାକୁ ଗିରଫ କରାଯାଇଛି । ଦେବଗଡ ଆଦର୍ଶ ଥାନା ପୋଲିସ ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।

Related Posts