ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ଆସନ୍ତା ଏପ୍ରିଲ ମାସରୁ ରାଜ୍ୟର ୩୧୭ ତହସିଲରେ ଭର୍ଚୁଆଲ କୋର୍ଟ କାର୍ଯ୍ୟକାରୀ ହେବ। ଭିଡ଼ିଓ କନଫରେନ୍ସ (ଆଭସି) ମାଧ୍ୟମରେ ହେବ ଜମିଜମା ସମ୍ପର୍କିତ ମାମଲାର ଫଇସଲା କରାଯିବ। ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩୦୦୦ ମାମଲାର ସମାଧାନ ହୋଇଛି। ବିଭାଗର କାର୍ଯ୍ୟକ୍ରମ ବାବଦରେ ସଚେତନତା ପାଇଁ ଗାଁ ଗାଁରେ ରାଜସ୍ବ ମେଳାର ଆୟୋଜନ କରାଯିବ। ଆଜି ରାଜସ୍ବ ବିଭାଗର ବଜେଟ୍ ପରବର୍ତ୍ତୀ ପ୍ରେସମିଟକୁ ସମ୍ବୋଧିତ କରି ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ସେ ଆହୁରି କହିଛନ୍ତି, ଚଳିତ ବର୍ଷ ୫୪୫ ଓଏଏସ/ଓଆରଏସ୍ ପଦବୀ ପୂରଣ ହେବ। ଓପିଏସସି ଜରିଆରେ ଏହି ପଦବୀ ପୂରଣ କରାଯିବ। ରାଜସ୍ବ ବିଭାଗର କର୍ମଚାରୀ ଅଭାବ ଦୂର କରିବା ପାଇଁ ୫୦୦୦ ନୂଆ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ। ଆର ଆଇ, ଏ ଆର ଆଇ ଭଳି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ। ଭିତ୍ତିଭୂମି ସୁଦୃଢ଼ ଉପରେ ବିଭାଗ ଗୁରୁତ୍ଵ ଦେଉଛି। ଚଳିତ ଥର ୪୩୧ ଆର ଆଇ ଅଫିସ ନିର୍ମାଣ ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ସବ ରେଜିଷ୍ଟ୍ରାର ଅଫିସରେ ଦୁର୍ନୀତି ରୋକିବାକୁ ସ୍ମାର୍ଟ ସର୍ଭିଲାନସ ବ୍ୟବସ୍ଥା କରାଯାଉଛି। ଅଡିଓ ଭିଜୁଆଲ ବ୍ୟବସ୍ଥା ରହିବ। ଏହା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ। ଜମି ଚିହ୍ନଟ ଅସଙ୍ଗତି ଦୂର କରିବାକୁ ହାଇଟେକ୍ ସର୍ଭେ କରାଯିବ। ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଉପରେ ବିଭାଗ ଗୁରୁତ୍ଵ ଦେଇଛି। ହସ୍ପିଟାଲ୍ ରେ ନିରବିଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ପ୍ରତି ଜିଲ୍ଲା ହସ୍ପିଟାଲରେ ଅଣ୍ଡର କେବଲିଂ ବ୍ୟବସ୍ଥା କରାଯିବ।
କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣରେ ୨୦ ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ ସମ୍ମାନିତ କରିବେ। ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ପାଇ ୫୪ଟି ସେବାରେ ସମୟ ଅବଧି ହ୍ରାସ କରାଯାଇଛି। ମ୍ୟୁଟେସନ, ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଭଳି ୫୪ଟି ସେବାର ସମୟ ଅବଧି ହ୍ରାସ କରାଯାଇଛି। ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ସୁବାସ ଚନ୍ଦ୍ର ଆପଦା ସମ୍ମାନରେ ସମ୍ମାନିତ କରାଯିବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁରସ୍କୃତ କରିବେ।





