ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ ଭିୱାନୀ ହତ୍ୟାକାଣ୍ଡକୁ ନେଇ ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଇତ୍ତିହାଦ-ଏ-ମିଲତ କାଉନ୍ସିଲ୍ (ଆଇଏମସି) ମୁଖ୍ୟ ମୌଲାନା ତୌକୀର ରାଜା ଖାନ ଏନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଭାରତରେ ଯେପରି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଫ୍ଆଇ)କୁ ବ୍ୟାନ୍ କରାଗଲା ସେହିପରି ଦକ୍ଷିଣପନ୍ଥୀ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ଏବଂ ବଜରଙ୍ଗ ଦଳକୁ ମଧ୍ୟ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଉ ଓ ଏହି ଦୁଇ ସଂଗଠନକୁ ଦେଶରେ ବ୍ୟାନ୍ କରାଯାଉ ବୋଲି ସେ ଦାବି କରିଛନ୍ତି।
ଏନେଇ ସେ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସୂଚନା ଦେଇ କହିଛନ୍ତି ଯେ, “ଫେବ୍ରୁଆରୀ ୧୬ ତାରିଖରେ ଭିୱାନୀ ଘଟଣା ଘଟିଲା । ହେଲେ ଆମେ ନିରବ ରହିଲୁ। ଆମ ପିଲା(ଜୁନେଦ୍ ଓ ନସୀର)ଙ୍କ ବିରୋଧରେ ମିଥ୍ୟ ଅଭିଯୋଗ ଆଣି ସେମାନଙ୍କୁ ହତ୍ୟା କରାଗଲା। ବୈଠକରେ ମହାପାଞ୍ଚୟତ ଦୋଷୀମାନଙ୍କୁ ସମର୍ଥନ କଲେ। ଭାରତରେ ଭିଡ଼ ହିଂସା ଓ ହତ୍ୟା ଯେ ସାଧାରଣ କଥା ହେଲାଣି ସେପରି ଅନୁଭବ ହେଲା। ତେଣୁ ପିଏଫ୍ଆଇକୁ ଯେଉଁଭଳି ଦେଶରେ ବ୍ୟାନ୍ କରାଗଲା ସେହିପରି ଭିଏଚ୍ପି ଓ ବଜରଙ୍ଗ ଦଳକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି ବ୍ୟାନ୍ କରାଯାଉ।”
ଏଥିସହିତ ସେ ଆହୁରି କହିଛନ୍ତି ଯେ, ଭିୱାନୀରେ ଯାହା ଘଟିଲା ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ବି ଏକ ଭୁଲ ସନ୍ଦେଶ ଗଲା। ସେମାନେ ଭାବିବେ ଯଦି ଆମେ ଏଭଳି କାମ କରିବୁ ତେବେ ଆମକୁ ବି ଲୋକେ ହିରୋ କହିବେ। ତେଣୁ ପ୍ରଶାସନ ଏହାକୁ ଗୁରୁତର ସହ ନେବା ଦରକାର ନହେଲେ ଆଗକୁ ସ୍ଥିତି ସଂଗୀନ ହେବ ତୌକୀର ରାଜା ଖାନ କହିଛନ୍ତି।
ସୂଚନାଯୋଗ୍ୟ ଯେ, ମଧ୍ୟ ପ୍ରଦେଶର ଭିୱାନୀରେ ଠାରେ ଏକ ବୋଲେରୋ ଗାଡିରେ ଦୁଇ ଜଣଙ୍କ ଅର୍ଦ୍ଧଦଗ୍ଧ କଙ୍କାଳ ମିଳିଥିଲା। ଗୋ ଚାଲାଣ ଅଭିଯୋଗରେ ସେମାନଙ୍କୁ ନିଆଁ ଲଗାଇ ଜାଳି ହତ୍ୟା କରାଯାଇଛି ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ପରିବାର ଲୋକ ୫ ଜଣଙ୍କ ବିରୋଧରେ ଥାନାରେ ମାମଲା କରିଥିଲେ। ପୁଲିସ ତଦନ୍ତ କରିବା ପରେ ୮ ଜଣଙ୍କ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ବଜରଙ୍ଗ ଦଳର ମୋନୁ ଶର୍ମାର ଏଥିରେ ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଚଳାଇଛି।





