ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ସରିଲା ଭୋଟିଂ; ୮୧.୧ % ମତଦାନ, ମାର୍ଚ୍ଚ ୨ରେ ଆସିବ ଫଳାଫଳ

ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): କଡା ସୁରକ୍ଷା ମଧ୍ୟରେ ଗୁରୁବାର ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ରାଜ୍ୟର ୩,୩୩୭ଟି ମତଦାନ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହୋଇଥିଲା। ତ୍ରିପୁରା ନିର୍ବାଚନରେ ​​ମୋଟ ୨୫୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ୧୧୦୦ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଏବଂ ୨୮ ଟି ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଥିଲା। ମହିଳା ମତଦାନ କର୍ମଚାରୀ ୯୭ଟି ମତଦାନ କେନ୍ଦ୍ର ପରିଚାଳନା କରିଥିଲେ। ତେବେ ଅପରାହ୍ନ ୪ଟାରେ ଭୋଟ ଦାନ ଶେଷ ହୋଇଥିବା ବେଳେ ୮୧.୧% ମତଦାନ ହୋଇଥିବା ସୂଚନା ମିଳିଛି। ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ମାର୍ଚ୍ଚ ୨ରେ ଫଳାଫଳ ଆସିବ।

ତେବେ ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟରେ ନିର୍ବାଚନ କରିବା ପାଇଁ ୩୧,୦୦୦ ନିର୍ବାଚନ ଦାୟିତ୍ବୀରେ ଥିବା କର୍ମଚାରୀ ଏବଂ କେନ୍ଦ୍ରୀୟ ପ୍ରତିରକ୍ଷା ବାହିନୀର ୨୫,୦୦୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ। ଏଥିସହ ଆଇନ ଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ସଶସ୍ତ୍ର ପୋଲିସ ଏବଂ ରାଜ୍ୟ ପୋଲିସର ୩୧,୦୦୦ କର୍ମଚାରୀ ନିୟୋଜିତ ହୋଇଥିଲେ ମତଦାନ ସମୟରେ ଶାରୀରିକ ଅକ୍ଷମ ଏବଂ ବୃଦ୍ଧ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଯାହାଦ୍ୱାରା ସେମାନେ ମତଦାନ କେନ୍ଦ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ତୃତୀୟଲିଙ୍ଗି ଭୋଟରମାନେ ମଧ୍ୟ ତ୍ରିପୁରା ବିଧାନସଭା ନିର୍ବାଚନ ରେ ବହୁ ସଂଖ୍ୟାରେ ଭୋଟ୍ ଦେଇଥିଲେ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଅଗରତାଲାରେ ଭୋଟ୍ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶାହ କହିଥିଲେ ଯେ, ଆମେ ଶାନ୍ତିପୂର୍ଣ୍ଣ ଭୋଟ୍ ଚାହୁଁଛୁ। ଲୋକମାନେ ମୋତେ ପଚାରୁଛନ୍ତି ଯେ, ମୋ ଆଗରେ ଚ୍ୟାଲେଞ୍ଜ କ’ଣ? ତେବେ କଂଗ୍ରେସ ଓ ବାମପନ୍ଥୀ ପ୍ରତିଦ୍ବନ୍ଦିମାନେ, ଯେଉଁମାନେ ଏକ ମେଣ୍ଟଗଠନ କରିବାକୁ ଏକାଠି ହୋଇଛନ୍ତି, ସେମାନେ ଶାନ୍ତି ବଜାୟ ରଖିବା ଆବଶ୍ୟକ। ଆମର ବିଶ୍ବାସ ଅଛି ଯେ, ଏଠାରେ ବିଜେପି ନିଶ୍ଚିତ ଭାବରେ ସରକାର ଗଠନ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Related Posts