ଭୋଟ୍ ଅନିୟମିତତା; ୨୦୨୪ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ରାତି ୨ଟା ଯାଏଁ ହୋଇଥିଲା ଭୋଟ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୋଟ୍ ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି । ତେବେ ୨୦୨୪ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ରାତି ୨ଟା ଯାଏଁ ହୋଇଥିଲା ଭୋଟ୍ । ରିପୋର୍ଟ ଅନୁସାରେ, ଦିଲ୍ଲୀର କନଷ୍ଟିଟ୍ୟୁସନ୍ କ୍ଲବରେ ଭାରତ ଯୋଡୋ ଅଭିଯାନ ନାମକ ଏକ ସଙ୍ଗଠନର କିଛି ବିଶେଷଜ୍ଞ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏଥିରେ ଆଇନ, ନିର୍ବାଚନ, ନୀତି ନିର୍ଧାରଣ ଦାୟିତ୍ୱରେ ଥିବା କଂଗ୍ରେସ ତଥା ଅନ୍ୟ ଛାମୁଆ ବିରୋଧୀ ଦଳର ବିଶେଷଜ୍ଞ କମିଟିର ସଦସ୍ୟ ଯୋଗ ଦେଇଥିଲେ । ସେମାନଙ୍କ କହିବାନୁସାରେ ୨୦୨୪ରେ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇଥିଲା । ନିର୍ବାଚନରେ ଅନେକ ଅନିୟମିତାତ ହୋଇଛି । ମତଦାନରେ ଚଞ୍ଚକତା ମଧ୍ୟ ହୋଇଛି । ରାଜନୈତିକ ସମୀକ୍ଷକ ପରକାଲା ପ୍ରଭାକର କହିଛନ୍ତି ଯେ, ତାଙ୍କ ପାଖରେ ଅନେକ ତଥ୍ୟ ଅଛି । ସେ ତଥ୍ୟର ଯାଞ୍ଚ କରିଛନ୍ତି । ନିର୍ବାଚନ ଦିନ କିଛି ବୁଥରେ ଅସାଧାରଣ ପୁଲିଂ ହୋଇଥିଲା । ୩୫୦୦ ବୁଥରେ ରାତି ୨ଟା ଯାଏଁ ମତଦାନ ହୋଇଛି । ଯାହା ସମ୍ପୂର୍ଣ୍ଣ ଭାବେ ଅସ୍ୱାଭାବିକ୍ । ସେହିପରି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ନେଇ ସନ୍ଦେହ ରହିଛି । ପର୍ମ୍ ୧୭-ସିର ଫର୍ମକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଆହୁରି ମଧ୍ୟ ଭୋଟର ଲିଷ୍ଟକୁ କାହିଁକି ମେସିନ୍ ପଢିପାରୁଥିବା ଭଳି ଫର୍ମାଟରେ ପ୍ରସ୍ତୁତ କରାଯାଇନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଭିଭିପାଟ୍ ଏବଂ ଇଭିଏମରେ ଚଞ୍ଚକତା କରାଯାଇପାରେ । ଇଭିଏମ୍ ସହ ଭିଭିପାଟ୍ ର ଗଣତି କରିବାକୁ ପ୍ରଶାନ୍ତ ଦାବି କରିଛନ୍ତି । ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ. ନିର୍ବାଚନରେ ମୋଟ୍ ମତଦାନର ୪.୬ ପ୍ରତିଶତ ଭୋଟ୍ ରାତି ୧୧ଟା ୪୫ରୁ ୨ଟା ମଧ୍ୟରେ ପଡିଥିଲା । ଏପରିକି ମଧ୍ୟରାତ୍ର ପରେ ପ୍ରାୟ ୧୭ ଲକ୍ଷ ଭୋଟ୍ ପଡିଥିଲା । ସବୁଠାରୁ ବଡ କଥା ହେଉଛି ଯେ, ଗୋଟିଏ ଭୋଟ୍ ପଡିବା ପରେ ଇଭିଏମକୁ ରିସେଟ୍ ହେବାକୁ କିଛି ସେକେଣ୍ଡ୍ ସମୟ ଲାଗିଥାଏ । ହେଲେ ରାତି ଅଧିଆ ଭୋଟ ପଡିଥିବା ଇଭିଏମରେ ଦୁଇଟି ମତଦାନ ମଧ୍ୟ ସମୟ ବ୍ୟବଧାନ ମାତ୍ର ୬ ସେକେଣ୍ଡ୍ ଥିଲା । ଅନ୍ୟପଟେ ବିଜୁ ଜନତା ଦଳ ମଧ୍ୟ ଓଡିଶା ପରିପ୍ରେକ୍ଷୀରେ ପୂର୍ବରୁ ସମାନ ଅଭିଯୋଗ କରିଛି । ରାଜ୍ୟରେ ବିଧାନସଭା ନିର୍ବାଚନରେ ହୋଇଥିବା ଅନିୟମିତତା ନେଇ କୋର୍ଟଙ୍କ ଦ୍ୱାରସ୍ତ ହୋଇଛି । ହେଲେ ଏବେସୁଦ୍ଧା ଏହାର କୌଣସି ନିସ୍କର୍ଷ ବାହାରି ପାରିନାହିଁ ।

Related Posts