ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କିଛି ଦିନ ପରେ ‘ପାକିସ୍ତାନ ଅଧିକୃତ କଶ୍ମୀର’ ବା ପିଓକେ ଅପାଣାଛାଏଁ ଭାରତରେ ମିଶିଯିବ | ସୋମବାର ଦିନ ରାଜସ୍ଥାନର ଦୌସାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ତଥା ପୂର୍ବତନ ‘ଚିଫ୍ ଅଫ୍ ଆର୍ମି ଷ୍ଟାଫ୍’ ଭି. କେ. ସିଂହ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ‘ପାକିସ୍ତାନ ଅଧିକୃତ କଶ୍ମୀର’ ଆପଣାଛାଏଁ ଭାରତରେ ମିଶିବା ପାଇଁ ଭାରତୀୟମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।
‘ପାକିସ୍ତାନ ଅଧିକୃତ କଶ୍ମୀର’ ଭାରତରେ ମିଶୁ ବୋଲି ସେଠାକାର ବାସିନ୍ଦାଙ୍କ ଦାବି ସମ୍ପର୍କରେ ‘ବିଜେପି’ର ମତ କ’ଣ ବୋଲି ସାମ୍ବାଦିକମାନେ ପଚାରିବାରୁ ସେ କହିଥିଲେ ଯେ, ‘ପାକିସ୍ତାନ ଅଧିକୃତ କଶ୍ମୀର’ ଆପେ ଆପେ ଭାରତ ଭିତରକୁ ଚାଲି ଆସିବ। ଟିକେ ଅପେକ୍ଷା କରନ୍ତୁ। ପାକିସ୍ତାନର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପାକିସ୍ତାନ ଅଧିକୃତ କଶ୍ମୀରରେ ବ୍ୟାପକ ପ୍ରତିବାଦ ଚଲିଥିବା କଥାକୁ ନେଇ ସାମ୍ବାଦିକମାନେ ତାଙ୍କୁ ଏକଥା ପଚାରିଥିଲେ।
ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି ଯେ, ପାକିସ୍ତାନୀ ସାମାଜିକକର୍ମୀ ଶବିର ଚୌଧୁରୀ ରବିବାର ଦିନ ସ୍ବୀକାର କରିଛନ୍ତି ଯେ, ପାକିସ୍ତାନର ବେଆଇନ ଦଖଲରୁ ସେମାନଙ୍କୁ ମୁକ୍ତ କରିବା ଲାଗି ‘ପାକିସ୍ତାନ ଅଧିକୃତ କଶ୍ମୀର’ବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି। ମୋଦୀଙ୍କ ଉଦ୍ଦେଶ୍ୟରେ ସେମାନେ କହିଛନ୍ତି, ଆମେ କ୍ଷୁଧାରେ ମରୁଛୁ, ଆମ ଜୀବନ ରକ୍ଷା କରନ୍ତୁ। ଦୟାପୂର୍ବକ ଏଠାକୁ ଆସି ଆମକୁ ସାହାଯ୍ୟ କରନ୍ତୁ। ଏହାପରେ ‘ପାକିସ୍ତାନ ଅଧିକୃତ କଶ୍ମୀର’କୁ ନେଇ ପୁଣି ଚର୍ଚ୍ଚା ଆରମ୍ବ ହଁ ହୋଇଯାଇଛି |





