ଆମେ ଅପରେଶନ ଲୋଟସକୁ ଭୟ କରୁ ନାହୁଁ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡଖଣ୍ଡ ସରକାରକୁ ଭାଙ୍ଗିବା ପାଇଁ ଅପରେଶନ ଲୋଟସ ଅଭିଯାନ ଚଳାଇଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଆମେ ଅପରେଶନ ଲୋଟସକୁ ଭୟ କରୁ ନାହୁଁ। ଝାଡଖଣ୍ଡର ୩ ଜଣ କଂଗ୍ରେସ ବିଧାୟକଙ୍କ ପାଖରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯିବା ପରେ ହେମନ୍ତ କହିଥିଲେ ଯେ କଂଗ୍ରେସ ବିଧାୟକମାନେ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରିଲେ ନାହିଁ ଏବଂ ଏହା ପୂର୍ବରୁ ପୋଲିସ ସେମାନଙ୍କୁ ଧରିଥିଲା।ହେମନ୍ତ ସୋରେନ ଏହି ମାମଲାରେ ଭାଜପାକୁ କଡ଼ା ସମାଲୋଚନା କରିଥିଲେ। ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଭାଜପା ଷଡଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି। ଏହା ଦ୍ୱାରା ଆମେ ବିଚଳିତ ନୁହଁ। ଭବିଷ୍ୟତରେ ମଧ୍ୟ ଆମେ ଏହାକୁ ନେଇ ଶଙ୍କା ପ୍ରକାଶ କରିବୁ ନାହିଁ ବୋଲି ହେମନ୍ତ ସୋରେନ୍‌ କହିଛନ୍ତି।

ଏହାପୂର୍ବରୁ ସୋମବାର ହେମନ୍ତ ସୋରେନ ତାଙ୍କ ସରକାରକୁ ଅସ୍ଥିର କରିବାକୁ ବିଜେପି ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ କ୍ଷମତା ବିନା ବିଜେପି ବର୍ତ୍ତମାନ ପାଣି ବିନା ମାଛ ପରି ହେଉଛି। ବିଜେପି ଏକ ନୂଆ ପ୍ରକାରର ରାଜନୈତିକ ପରିଭାଷା ଲେଖିବାକୁ ଚେଷ୍ଟା କରୁଛି ଯାହା ଦେଶର ଗଣତନ୍ତ୍ର ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ। ସୋରେନ କହିଛନ୍ତି ଯେ ଆଜି ଅଣ-ବିଜେପି ରାଜ୍ୟଗୁଡ଼ିକର ପରିସ୍ଥିତି ଆମ ସମସ୍ତଙ୍କ ସାମ୍ନାରେ ଅଛି। ଝାଡଖଣ୍ଡରେ ମଧ୍ୟ ଆମ ସରକାର ଗଠନ ହେବା ଦିନଠାରୁ ବିଜେପି ଏହାକୁ କ୍ଷମତାଚ୍ୟୁତ କରିବାକୁ ଚେଷ୍ଟା କରୁଛି। ପ୍ରତି ୨୪ ଘଣ୍ଟାରେ ଗୁଜବ ପ୍ରଚାରିତ ହେଉଛି ଯେ, ଝାଡଖଣ୍ଡ ସରକାର ଭାଙ୍ଗିବାକୁ ଯାଉଛି।

Related Posts