ରତ୍ନଭଣ୍ଡାରର ଚାବି ହଜିଛି କି ନାହିଁ ଆମେ ଜାଣିନୁ: ଆଇନ ମନ୍ତ୍ରୀ

ଭୁବନେଶ୍ୱର,୦୧/୦୭ (ସତ୍ୟପାଠ ବ୍ୟୁରୋ): ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ଏବେ ପୁଣି ଦାବି ଉଠୁଥିବା ବେଳେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, ରତ୍ନଭଣ୍ଡାରର ଚାବି ହଜିଛି କି ନାହିଁ, ସେକଥା ତ ଆମେ ଜାଣିନୁ। ଏନେଇ ବିଜେପି ନେତା ହାଇକୋର୍ଟ ଯାଇଛନ୍ତି, ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେବେ, ସରକାର ତାର ତର୍ଜମା କରି ପଦକ୍ଷେପ ନେବେ।

ସେ ଆହୁରି କହିଛନ୍ତି, କିଏ ରାଜନୀତି କରିବେ ସେଇଟା ମୁଁ କହିବି ନାହିଁ । ବିଭିନ୍ନ ସ୍ତରରେ ଭିନ୍ନ ଲୋକ ରାଜନୀତି କରନ୍ତି । କିନ୍ତୁ ସରକାର ମନ୍ଦିର ଗୁଡ଼ିକର ଉନ୍ନତିକରଣ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆଇନମନ୍ତ୍ରୀ।

ସେପଟେ ରତ୍ନଭଣ୍ଡାର ଖୋଲିବା ପ୍ରସଂଗରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ସରକାର କିଭଳି ଚାଲିଛି ଆଇନ ମନ୍ତ୍ରୀଙ୍କ ଉତ୍ତରରୁ ଲୋକ ଜାଣିପାରିବେ। ଏହା ମୁଣ୍ଡ ବିହୀନ ସରକାର କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଇନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ସମସ୍ତେ କହିବା ପରେ ବି କାହିଁକି ରତ୍ନଭଣ୍ଡାର ଖୋଲା ଯାଉ ନାହିଁ। ଏକ କମିଟି ଗଠନ କରି, ରାଜ୍ୟପାଳଙ୍କ ଦ୍ୱାରା ରତ୍ନଭଣ୍ଡାର ଖୋଲାଯାଉ। ଆବଶ୍ୟକ ହେଲେ ସିଟିଂ ଜଜ୍‌ଙ୍କ ନେତୃତ୍ୱରେ ଖୋଲାଯାଉ ଏବଂ ଅଳଙ୍କାର ଗଣତି କରାଯାଉ। ସରକାର ଯଦି ଚାବି ହଜିବା ଘଟଣାର ପର୍ଦ୍ଦାଫାସ୍‌ କରିପାରୁନାହାନ୍ତି, ତେବେ ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ। ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଦୋଷୀକୁ ଦଣ୍ଡିତ କରାଯାଉ। ଚାବି ଦାୟିତ୍ୱରେ ଥିବା ଅଧିକାରୀଙ୍କଠୁ ଖର୍ଚ୍ଚ ହୋଇଥିବା ଟଙ୍କା ଆଦାୟ ହେଉ କହିଲେ ସମୀର ମହାନ୍ତି।

ସୂଚନା ଥାଉକି, ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର କାହିଁକି ଅସୁରକ୍ଷିତ ହୋଇପଡ଼ିଛି, ଏହାର ମରାମତି ଓ ରତ୍ନର ସ୍ଥିତି କାହିଁକି ଯାଞ୍ଚ ହେଉନି ସେନେଇ ବାରମ୍ବାର ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବଙ୍କ ଠାରୁ ଆରମ୍ଭ କରି ନିକଟରେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରି ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି। ବିଭିନ୍ନ ବୁଦ୍ଧିଜୀବୀ, ଭକ୍ତ ଓ ବିରୋଧୀ ଦଳମାନେ ରତ୍ନ ଭଣ୍ଡାର ମରାମତି ଓ ରତ୍ନ ସ୍ଥିତି ଯାଞ୍ଚ ନିମନ୍ତେ ଦାବି କରୁଥିଲେ ହେଁ ସରକାର ଏଥିପ୍ରତି ପଦକ୍ଷେପ ନେଉନାହାନ୍ତି। ଯାହା ସରକାରଙ୍କ କାର୍ଯ୍ୟକୁ ସନ୍ଦେହରେ ପକାଇଛି।

Related Posts