“ଦିଲ୍ଲୀ ଅଧ୍ୟାଦେଶ ବିଲରେ କଣ ଭଲ ଦେଖିଲେ?”: ବିଜେଡି ଓ ୱାଇଏସଆର କଂଗ୍ରେସକୁ ପ୍ରଶ୍ନ କଲେ ଚିଦାମ୍ବରମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତକାଲି ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ ବିଲ୍। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲକୁ ଆଗତ କରିଛନ୍ତି। ଏହି ବିଲ୍ ଉପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଏବଂ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସଆର କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି। ରାଜ୍ୟସଭାରେ ଏହି ବିଲକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଆମ୍ ଆଦମୀ ପାର୍ଟିକୁ ଏହା ବଡ ଝଟକା ଦେଇଛି।

ଏହାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ ଏକ ଟ୍ୱିଟ୍ କରି ଉଭୟ ବିଜେଡି ଏବଂ ୱାଇଏସଆର କଂଗ୍ରେସକୁ ପ୍ରଶ୍ନ କରିଛନ୍ତି। ଚିଦାମ୍ୱରମ କହିଛନ୍ତି, ଦିଲ୍ଲୀ ସେବା ବିଲକୁ ବିଜେପି ସାଂସଦମାନେ ସମର୍ଥନ କରିବାର ଉଦ୍ଦେଶ୍ୟକୁ ବୁଝିପାରୁଛି ହେଲେ BJD ଓ YSRCP ସମର୍ଥନ କରିବା ପଛର କାରଣ ବୁଝିପାରୁନି। ଏହି ବିଲରେ ସେମାନେ କ’ଣ ଭଲ ଦେଖିଛନ୍ତି ଜାଣିପାରୁନି? କେନ୍ଦ୍ର ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେବାକୁ ଥିବାବେଳେ ବିପକ୍ଷ ଭାବେ ରାଜ୍ୟରୁ କେବଳ ଜଣେ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିପାରିବେ। ଦୁଇଜଣ ଅଧିକାରୀ କୋରମ୍ ଗଠନ କରିପାରିବେ ଏବଂ ବୈଠକ କରିପାରିବେ। ତା ସହ ମୁଖ୍ୟମନ୍ତ୍ରୀଙ୍କ ଅଂଶଗ୍ରହଣ ବିନା ନିଷ୍ପତ୍ତି ମଧ୍ୟ ନେଇପାରିବେ? ଏଥିରେ ସେମାନେ କଣ ଭଲ ଦେଖିପାରୁଛନ୍ତି?” ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି |

ଏହା ବ୍ୟତୀତ ସେ ଆହୁରି ପଚାରିଛନ୍ତି ଯେ, ସେମାନଙ୍କୁ ଯେଉଁ ବ୍ୟବସ୍ଥାରେ ଦୁଇଜଣ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିପାରିବେ ସେଥିରେ କିଛି ଭଲ ଦେଖାଯାଉଛି କି? କଣ ସେମାନେ ଏଥିରେ ବି ଭଲ ଦେଖିପାରୁଛନ୍ତି, ଯେଉଁଥିରେ ଉପରାଜ୍ୟପାଳ ସର୍ବସମ୍ମତ ନିଷ୍ପତ୍ତିକୁ ମଧ୍ୟ ଅଗ୍ରାହ୍ୟ କରିପାରିବେ? କଣ ଏହି ଦୁଇ ଦଳକୁ ଅନୁଭବ ହେଉଛି ଯଦି ଏହି ବିଧେୟକ ପାରିତ ହୋଇଯାଏ ତେବେ ଅଧିକାରୀମାନେ ମନ୍ତ୍ରୀମାନଙ୍କ ଅଧିନରେ ରହିବେ ? ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି|

Related Posts