ରାଜା ଖାନ୍ ଓ ଗୁଡ୍ଡୁ ମୁସଲିମର ସମ୍ବଲପୁର ଦଙ୍ଗା ସହ କଣ ସମ୍ପର୍କ ରହିଛି, ପୋଲିସ ଡିଜି ଚୁପ୍ କାହିଁକି ?: ସୁରେଶ ପୂଜାରୀ

ଭୁବନେଶ୍ୱର,୨୪/୪(ସତ୍ୟପାଠ ବ୍ୟୁରୋ): ସମ୍ବଲପୁର ସହରରେ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଅତ୍ୟନ୍ତ ଚିନ୍ତାଜନକ ଅଟେ। ହନୁମାନ ଜୟନ୍ତୀ ପାଳନ ଅବସରରେ ଘଟି ଯାଇଥିବା ହିନ୍ଦୁ ବିରୋଧୀ ହିଂସାକାଣ୍ଡ ଓ ଦଙ୍ଗା ସମଗ୍ର ଓଡିଶାବାସୀଙ୍କୁ ବିଚଳିତ କରିଛି । ଏଥି ସହ ସମ୍ବଲପୁରରେ ଦଙ୍ଗା ରାଷ୍ଟ୍ର ବିରୋଧୀ ଶକ୍ତିମାନଙ୍କ ଉପସ୍ଥିତିକୁ ମଧ୍ୟ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ସାଂସଦ ଶ୍ରୀ ସୁରେଶ ପୁଜାରୀ କହିଛନ୍ତି ।

ଆଜି ଝାରସୁଗୁଡାଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁଜାରୀ କହିଛନ୍ତି ଯେ, ପଡୋଶୀ ପଶ୍ଚିମବଙ୍ଗ ଆଜି ରାଷ୍ଟ୍ର ବିରୋଧୀ କାର୍ଯ୍ୟର ଏନ୍ତୁଡିଶାଳା ହୋଇଥିବା ସମସ୍ତେ ଅବଗତ ଅଛନ୍ତି । ସମ୍ବଲପୁରର ମୋତିଝରନଠାରୁ ପଶ୍ଚିମବଙ୍ଗରେ ଆତଙ୍କୀବାଦର ଏନ୍ତୁଡିଶାଳ ମୁର୍ଶଦାବାଦକୁ ପ୍ରତିଦିନ ବସ୍ ଚଳାଚଳ ହେଉଛି ଏବଂ ପ୍ରତିଦିନ ଶହ ଶହ ଲୋକ ଯାତାୟତ କରୁଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଯାତ୍ରୀଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ରଖିବାର ପ୍ରୟାସ କରାଯାଉନାହିଁ । ସେ ଅଂଚଳରେ ସାଂପ୍ରଦାୟିକ ସଦ୍ଭାବନା ଫେଲ୍ ହେବାରେ ଏହା ଅନ୍ୟତମ ମୁଖ୍ୟ କାରଣ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।

ଅନ୍ୟ ପଟେ ଉତରପ୍ରଦେଶରେ ଆତଙ୍କବାଦ ଓ ଆତଙ୍କବାଦ ବିରୋଧୀ ଅଭିଯାନ ବାବଦରେ ମଧ୍ୟ ସମସ୍ତେ ଅବଗତ ଅଛନ୍ତି । ଦୁର୍ଦ୍ଦାନ୍ତ ଆତିକ୍ ଅହମଦର କାର୍ଯ୍ୟକଳାପ ଏବଂ ତାର ମୃତ୍ୟୁ ବିଷୟରେ କାହାକୁ ଅଛପା ନାହିଁ ଏବଂ ଏହି ପ୍ରସଙ୍ଗରେ ଉତରପ୍ରଦେଶ ଏସଟିଏଫ୍ ଗୁଡ୍ଡୁ ମୁସଲିମକୁ ଖୋଜୁଛି । ଆତିକର ମୁଖ୍ୟ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମର ଓଡିଶା ଲିଙ୍କ୍ ପ୍ରକାଶ ପାଇବା ପରେ ସାଧାରଣରେ ବହୁ ଆଶଂକା ସୃଷ୍ଟି ହୋଇଛି । ଗୁଡ୍ଡୁ ମୁସଲିମ୍ର ପୁରୀ, ବରଗଡ ସହ ସଂପର୍କ ସହିତ ଏପି୍ରଲ ୧୨ ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ସ୍ଲୋଗାନର ଲମ୍ବା କଡିର ଏକ ଅଁଶ ନୁହଁ ତ ? ଉତ୍ତରପ୍ରଦେଶରେ ଆତିକ୍ ଅହମଦ୍ ଯାହା କରୁଥିଲା, ହନୁମାନ ଜୟନ୍ତୀ ଅବସରରେ ଗତ ୧୨ ତାରିଖରେ ସମ୍ବଲପୁରର ମୋତିଝରନଠାରେ ଦଙ୍ଗା ଭିଆଇଥିବା ରାଷ୍ଟ୍ରବିରୋଧୀଙ୍କ ଆଚରଣ ଓ ଉଚାରଣ ସମାନ । ରାଜା ଖାନ୍ ଏବଂ ଗୁଡ୍ଡୁ ମୁସଲିମର ସମ୍ବଲପୁର ଦଙ୍ଗା ସହ କ’ଣ ସଂପର୍କ ରହିଛି ବୋଲି ଶ୍ରୀ ପୁଜାରୀ ପ୍ରଶ୍ନ କରିଛନ୍ତି ।

ଆତଙ୍କବାଦୀଙ୍କ ଜାତି, ଧର୍ମ, ମାନବିକତା ଆଦି କିଛି ନଥାଏ । ରାଜା ଖାନ୍ ନାମକ ଜଣେ ଅପରାଧୀ ଯାହା ନାମରେ ଏକାଧିକ ଅପରାଧିକ ମାମଲା ଅଛି ଓ ନିକଟ ଅତୀତରେ ଦୁଇ ଦୁଇଟି ହତ୍ୟା ଅଭିଯୋଗରେ ମଧ୍ୟ ସେ ଅଭିଯୁକ୍ତ ଏବଂ ସେ ଅଂଚଳରେ ବେଆଇନ ଗୋ ଚାଲାଣ କରିବା, ଡ୍ରଗ୍ସ କାରବାର କରିବା, ଅସ୍ତ୍ରଶସ୍ତ୍ରର ବ୍ୟାପାର କରିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ରହିଛି । ଛତିଶଗଡ ଏବଂ ଓଡିଶା ସୀମାର ଲୁହାରଚଟିରୁ ରାଜା ଖାନ୍ ନିଜ କଳା ସାମ୍ରାଜ୍ୟ ଚଲାଉଥିଲା । ବେଆଇନ କାମ କରିବାରେ ଏବଂ ବେଆଇନ କାମ କରୁଥିବା ଲୋକଙ୍କୁ ଏପଟକୁ ସେପଟ ଯିବା ପାଇଁ ଏବଂ ସେପଟୁ ଏପଟେ ଆସିବା କାର୍ଯ୍ୟ କରୁଥିଲା । ଜଣେ ଉତରପ୍ରଦେଶ ଓ ଜଣେ ବରଗଡର ହୋଇଥିବା ବେଳେ ଗୁଡ୍ଡୁ ମୁସଲିମ୍ ଓ ରାଜା ଖାନ୍ ଏ ଦୁହିଁଙ୍କର ସମ୍ପର୍କ କ’ଣ? ଗୁଡ୍ଡୁର ରାଜନୈତିକ ସମ୍ପର୍କ କ’ଣ ରହିଛି ? ବିନା ରାଜନୀତିକ ପୃଷ୍ଠପୋଷକତାରେ ଅପରାଧ ହୁଏ ନାହିଁ । ପ୍ରଥମତଃ ରାଜା ଖାନର ରାଜନୈତିକ ପୃଷ୍ଠପୋଷକ କିଏ ? ଦ୍ୱିତୀୟରେ ସୋହେଲାକୁ ଆସି ରାଜା ଖାନ୍ ପାଖରେ ଉତ୍ତରପ୍ରଦେଶ ଏସଟିଏଫ୍ ଆସି ପଚରାଉଚୁରା କରିଥିବାବେଳେ ଓଡିଶା ପୋଲିସ ଏ ବାବଦରେ ବର୍ତ୍ତମାନ ପର୍ଯ୍ୟନ୍ତ ସୋହେଲା ପହଂଚି ନପାରିବା ବହୁ ସନ୍ଦେହ ସୃଷ୍ଟି କରୁଛି । ତେଣୁ ଗୁଡ୍ଡୁ ମୁସଲିମ୍ ସହ କାହାର ସମ୍ପର୍କ ସେନେଇ ତଦନ୍ତର ଆବଶ୍ୟକତା ଅଛି । ଏପରିକି ଓଡିଶାର କିଛି ବଡଧରଣର କାଣ୍ଡ ଘଟାଇବା ଉଦ୍ଦେଶ୍ୟ ସେମାନଙ୍କର ଥାଇପାରେ ବୋଲି ଶ୍ରୀ ପୁଜାରୀ ଆଶଙ୍କା କରିଛନ୍ତି ।

ପୁରୀ ଓ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି । ଆତାଙ୍କବାଦୀ ଏବଂ ଦୁର୍ଦ୍ଦାନ୍ତ ଅପରାଧୀମାନେ ବର୍ତମାନ ଓଡିଶାକୁ ସୁରକ୍ଷିତ ସ୍ଥାନ ଭାବେ ଗ୍ରହଣ କରି ନିର୍ଭୟରେ ଆଶ୍ରୟ ନେଉଛନ୍ତି । ଗୁଡ୍ଡୁ ମୁସଲମାନ ସମେତ ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ପୁରୀକୁ ଆସି ଲୁଚି ରହିବା ଚିନ୍ତାର କାରଣ ସାଜିଛି । ସେହିପରି ସମ୍ବଲପୁର ଅଂଚଳରେ ଏସିଆର ସର୍ବବୃହତ୍ ହୀରାକୁଦ୍ ବନ୍ଧ ଅବସ୍ଥିତ ଏବଂ ଏଥି ପାଇଁ ସ୍ଥାନୀୟ ଅଂଚଳବାସୀ ବହୁ ମୂଲ୍ୟ ଦେଇଥିବାବେଳେ ଗୁଡ୍ଡୁ ମୁସଲମାନର ବରଗଡରେ ଉପସ୍ଥିତି ହିରାକୁଦ ବନ୍ଧର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଛିଡା କରାଇଛି ବୋଲି ଶ୍ରୀ ପୁଜାରୀ କହିଛନ୍ତି ।

ସମ୍ବଲପୁର ହିଂସାକାଣ୍ଡ ଓ ଦଙ୍ଗା, ଦଙ୍ଗାରେ ଜଣେ ଆଦିବାସୀ ଯୁବକକୁ ହତ୍ୟା, ଦଙ୍ଗା ଭିଆଇଥିବା ଅପରାଧୀଙ୍କ ବିରୁଦ୍ଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା, ଅକ୍ରୋଶମୁଳକ ଭାବେ ନିରୀହ ଲୋକଙ୍କୁ ଜେଲରେ ଭର୍ତ୍ତି କରିଦେବା ଭଳି ପ୍ରସଙ୍ଗରେ ରାଜ୍ୟ ଓ ରାଷ୍ଟ୍ରୀୟ ମାନବାଧିକାର କମିଶନ, ରାଷ୍ଟ୍ରୀୟ ଜନଜାତି କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି । ଏଥି ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ମଧ୍ୟ ଘଟଣା ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଛି । ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ଏନଆଇଏ (ନ୍ୟାସନାଲ ଇନ୍ଭେଷ୍ଟିଗେସନ ଏଜେନ୍ସି) ଦ୍ୱାରା କରାଯିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ବୋଲି ଶ୍ରୀ ପୁଜାରୀ ସୂଚନା ଦେଇ କହିଛନ୍ତି ।

ଯଶଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ତାଙ୍କର ବିକାଶ ଧାରାକୁ ବିରୋଧ କରି କିଛି ରାଷ୍ଟ୍ରବିରୋଧୀ ଶକ୍ତି ତାଙ୍କୁ ବଦନାମ୍ କରିବା ଉଦେ୍ଦଶ୍ୟରେ ହିଂସାକାଣ୍ଡ ଓ ଦଙ୍ଗା ଭିଆଇବାର ମସୁଦା କରୁଛନ୍ତି । ଦେଶର ବିଭିନ୍ନ ରାଜ୍ୟର ବଡ ବଡ ଅପରାଧିମାନେ ଓଡିଶାକୁ ସୁରକ୍ଷିତ ଭାବି ଆଶ୍ରୟ ନେଉଛନ୍ତି । ଉତରପ୍ରଦେଶ ଏସ୍ଟିଏଫ ଆସି ଦୁର୍ଦ୍ଦାନ୍ତ ଅପରାଧିମାନଙ୍କୁ ଠାବ କରୁଛି ଅଥଚ ରାଜ୍ୟ ପୋଲିସ ହାତ ଖୋଲି ବସି ରହିଛି । ଗୁଡ୍ଡୁ ମୁସଲିମ୍, ରାଜା ଖାନ ସଂପର୍କରେ ପୋଲିସ ଡିଜି କିମ୍ବା ରାଜ୍ୟ ସରକାର ବର୍ତମାନ ସୁଦ୍ଧା କୌଣସି ବିବୃତି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ରାଜ୍ୟ ମୁଖପାତ୍ର ବିଂରଞ୍ଜି ନାରାୟଣ ତ୍ରିପାଠୀ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ ଓ ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts