ଭୁବନେଶ୍ୱର,୧/୩(ସତ୍ୟପାଠ ବ୍ୟୁରୋ): ଗଣତନ୍ତ୍ରରେ ପ୍ରତିବାଦ କରି ନ୍ୟାୟ ମାଗିବା କ’ଣ ଭୁଲ? ଗତକାଲି ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନ ବେଳେ ଭିଡ଼ ଭିତରେ କଳା ପୋଷାକ ଓ ଧଳା ପୋଷାକ ଧରୀ କିଏ ଥିଲେ ? ଯେଉଁମାନେ ବିଜେପି କର୍ମକର୍ତ୍ତାଙ୍କୁ ଲହୁଲୁହାଣ କଲେ ସେମାନେ କିଏ ? ଆଜି ବିଧାନସଭାରେ ସରକାରଙ୍କ ଠାରୁ ଏହାର ଜବାବ ମାଗିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଏହାସହିତ ଏହି ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିଛନ୍ତି ବିଜେପି ସଦସ୍ୟ। ଗତକାଲି ଲୋୟୋର ପିଏମ୍ଜିରେ ବିଜେପିର ଧାରଣା ବେଳେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ।
ଶୂନ୍ୟ କାଳରେ ଏହି ପ୍ରସଙ୍ଗକୁ ନେଇ ଗୃହ ଅଚଳ ଅବସ୍ଥା ହୋଇଥିଲା। ଗୃହରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରି କହିଥିଲେ ଯେ, ଗତକାଲି ବିଜେପି ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଗାନ୍ଧୀ ମାର୍ଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ବେଳେ ପୁଲିସ ଯେଉଁଭଳି ଅମାନୁଷିକ କାଣ୍ଡ ଘଟାଇଲା ତାହା ନିନ୍ଦନୀୟ। ଖାଲି ସେତିକି ନୁହେଁ ମୁଁ ଏବଂ ଆମ ସଦସ୍ୟ ମାନେ ହସ୍ପିଟାଲ୍ ଯାଇଥିଲୁ, ସେଠାରୁ ଆହତଙ୍କ ଦୃଶ୍ୟ ଦେଖି ଆମେ ଚକିତ ହେଲୁ। ବିଜେପି କର୍ମୀମାନେ ଲହୁଲୁହାଣ ହୋଇ ହସ୍ପିଟାଲ୍ ଯାଇଥିବା ବେଳେ ତାଙ୍କୁ ଚିକିତ୍ସିତ କରାଯାଉନାହିଁ। ଆମକୁ ମଧ୍ୟ ଆହତ ବିଜେପି କର୍ମୀଙ୍କୁ ଦେଖାକରିବାକୁ ଦିଅଗଲାନି। ଏହା କେଉଁ ପ୍ରକାରର ଶାସନ ? ପୁଲିସ ମିଛିମିଛିକା ରୋଲ କରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଣତନ୍ତ୍ରରେ ପ୍ରତିବାଦ କରି ନ୍ୟାୟ ମାଗିବା କ’ଣ ଭୁଲ? ବାଚସ୍ପତି ଆମକୁ ଆପଣ ସୁରକ୍ଷା ଦିୟନ୍ତୁ। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସାଙ୍ଗକୁ ରୁଲିଂ ଦେବାକୁ ଦାବି ଗୃହରେ କରିଥିଲେ ଜୟନାରାୟଣ ମିଶ୍ର।





