ଭୁବେଶ୍ୱର:୨୦୧୬ ମସିହାରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଗୋଟେ ସୁନ୍ଦର ବ୍ୟବସ୍ଥା ଆସିଥିଲା, ବିଏମସି ତରଫରୁ। ସ୍ୱାୟତ୍ତ ଶାସନ ଦିବସରେ ଅନନ୍ତ ନାରାୟଣ ଜେନା ମେୟର ଥିବା ସମୟରେ ରାଜଧାନୀର ସାଧାରଣ ଲୋକଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଇବାକୁ ୪୦ ଟି ୱାଟର ଏଟିଏମ୍ ଇନଷ୍ଟଲ ହୋଇଥିଲା ରାଜଧାନୀରେ। ଏହି ବ୍ୟବସ୍ଥା ଆରମ୍ଭ କରିବାରେ ଦେଶରେ ଦ୍ୱିତୀୟ ସହର ଥିଲା ଭୁବନେଶ୍ୱର ପ୍ରଥମରେ ଦିଲ୍ଲୀ। ଏହାର ଶୁଭାରମ୍ଭ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ର ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ପିରାମଲ ସର୍ବଜଳ ନାମରେ ଗୋଟେ ଘରୋଇ ସଂସ୍ଥା ସହିତ ଚୁକ୍ତିକରି ତାଙ୍କ ସହଯୋଗରେ ଭୁବନେଶ୍ବର ପ୍ରମୁଖ ବସ୍ତି ମାନଙ୍କରେ ଏହି ୱାଟର ଏଟିଏମ୍ ଚାଲୁ ହୋଇଥିଲା। ଦଶବର୍ଷ ହେବ ଆସନ୍ତା ସ୍ୱାୟତ୍ତ ଶାସନ ଦିବସରେ । ୩୦ ପଇସାରେ ଗୋଟେ ଲିଟର ପାଣି ଦେଉଥିବା ଏହି ୱାଟର ଏଟିଏମ ଏବେ ଅଚଳ ପଡିଛି। କାର୍ଡ ସ୍ୱାଇପ କଲେ ପାଣି ଆସୁଥିଲା ଏବେ କାର୍ଡ ଟଙ୍କା କିଛି କାମ ଦେଉନି। କିଛି ଦିନ ଚାଲିବା ପରେ ହିଁ ଅନେକ ସମସ୍ୟା ଆରମ୍ଭ ହେଲା। ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା ତଦାରଖ କଲାନି ବିଏମସିର ଦୃଷ୍ଟି ରହିଲାନି। ବିଏମସିର ଦାୟିତ୍ବହୀନତା ର ପ୍ରମାଣ ଏ ୱାଟର ଏଟିଏମ୍। ବର୍ତ୍ତମାନ ବିଏମସି ସେହି ୱାଟର ଏଟିଏମ୍ କୁ ସଜାଡ଼ିବା କଥା ଚିନ୍ତା ନକରି ଏହାକୁ ନିଲାମ କରିବାକଥା ଚିନ୍ତା କଲାଣି। ମାର୍ଚ୍ଚ ମାସର ଏ ମୁଣ୍ଡଫଟା ଖରାରେ ଶୋଷରେ ଛଟପଟ ହେଉଛି ରାଜଧାନୀ। ସ୍ବଚ୍ଛଜଳ ଯୋଗାଇଦେବାକୁ ସେତେବେଳେ ୪.୯୩ କୋଟି ଖର୍ଚ୍ଚ କରିଥିଲା ବିଏମସି। ପ୍ରତ୍ୟେକ ମେସିନ ରେ ଖର୍ଚ୍ଚ ହେଇଥିଲା ୧୦ ଲକ୍ଷ୍ୟ ୪୦ ମେସିନରେ ଚାରିକୋଟି। ଯୋଜନାର ପରିଚାଳନା ଠିକ୍ ଭବେ ନହେବାରୁ ଧୀରେ ଧୀରେ ୱାଟର ଏଟିଏମ୍ ସବୁ ଅଚଳ ହୋଇଗଲା। ୨୦୧୬ ରେ ଆରମ୍ଭ ହୋଇଥିବା ଏ ଯୋଜନା ବିଏମସି ର ସୁପର ଫ୍ଲପ୍ ଯୋଜନାରେ ପରିଣତ ହୋଇଛି। “ଜଳ ହିଁ ଜୀବନ” ” ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ” ଏସବୁ କେବଳ ବିଏମସିର ହୋର୍ଡିଂ ରେ ସୀମିତ ହେଲା। ବଡ ଚକମକ କୋଠାରେ ବସି ବିଏମସି ବାବୁମାନେ ନୂଆ ଯୋଜନା ନାମରେ କୋଟି କୋଟି ଅର୍ଥ ଉଡ଼ାଇଲେ ଟଙ୍କା ଚଳୁକଲେ ସାଧାରଣ ଲୋକ ହନ୍ତସନ୍ତ ହେଲେ। ଚାରିକୋଟି ୯୩ ଲକ୍ଷ୍ୟ ଖର୍ଚ୍ଚରେ ଚାଲୁହୋଇଥିବା ଏହି ଏଟିଏମ୍ ସବୁ ଏବେ ରାଜଧାନୀର ସବୁ ପ୍ରମୁଖ ଛକ ଏବଂ ବସ୍ତିରେ ଅଚଳ ହୋଇ ବିଏମସି ବିଫଳତାର ପ୍ରତୀକ ରୂପେ ଛିଡ଼ା ହୋଇଛି। କିଛି କିଛି ସ୍ଥାନରେ ପାଣି ଆସୁଛି ହେଲେ ତାହାବି ସ୍ଲୋ। ସାଧାରଣ ଲୋକଙ୍କ ଭରସାକୁ ସର୍ବଦା ଏମିତି ଚାପୁଡ଼ା ମିଳିଛି ପ୍ରଶାସନ ତରଫରୁ ସେମିତି ଏକ ଯୋଜନା ହେଉଛି ବିଏମ୍ସି ର ପାନୀୟ ଜଳ ଯୋଜନା । ଏବେ ନିଲାମ ହେବ ଏହିସବୁ ଏଟିଏମ୍ ତାହାବି ଶାଗ ମାଛ ଦରରେ ୨୦୨୪ ରେ ୱାଟର ଏଟିଏମ୍ ପରିଚାଳନା ଦାୟିତ୍ଵ ୱାଟକୋ କୁ ମିଳିଛି। ନିକଟରେ ବିଏମସି କମିଶନର ଚଞ୍ଚଳ ରାଣା ୱାଟକୋ ଅଧିକାରୀଙ୍କ ଉପସ୍ଥିତିରେ ଅଧିକାରୀଙ୍କ କହିବା ଅନୁସାରେ ଟ୍ୟାପ୍ ଯୋଗେ ରାଜଧାନୀ ବାସୀଙ୍କୁ ପାନୀୟ ଜଳ ମିଳୁଛି ତେଣୁ ଆଉ ୱାଟର ଏଟିଏମ୍ ର ଆବଶ୍ୟକ ନାହିଁ। ୱାଟକୋ ର ଏହି ଯୁକ୍ତିପରେ କମିଶନର ଚଞ୍ଚଳ ରାଣା ଏହାର ନିଲାମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୌର ଶକ୍ତି ଦ୍ଵାରା ପରିଚାଳିତ ଏ ୱାଟର ଏଟିଏମ୍ ଉପରେ କେବଳ ରାଜଧାନୀର ଜନସାଧାରଣ ନୁହେଁ ରାଜଧାନୀର ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଲୋକ ନିର୍ଭର କରୁଥିଲେ। ଭୁବନେଶ୍ବରରେ ସାଧାରଣ ଜନଗହଳି ଅଞ୍ଚଳରେ ବଢୁଥିବା ଜଳସଂକଟର ସମାଧାନ କେମିତି ଏବଂ କେବେ ଚିନ୍ତା କରିବ ବିଏମସି । ପାନୀୟ ଜଳ ସମସ୍ୟା ଭିତରେ ୱାଟର ଏଟିଏମ୍ ର ଆବଶ୍ୟକତା ରାଜଧାନୀବାସୀ ଲୋଡୁଥିବାବେଳେ ଏହାର ନିଲାମ ବ୍ୟବସ୍ଥା କରିବା ଉଭୟ ରାଜଧାନୀ ଏବଂ ରାଜଧାନୀ ବାହାରୁ ଆସୁଥିବା ପ୍ରତ୍ୟେକଙ୍କ ପାଇଁ ଗୋଟେ ବଡ଼ ସମସ୍ୟା ଏବଂ ଚିନ୍ତାର କାରଣ ହୋଇଛି। ତେବେ ବର୍ତ୍ତମାନର ବଡପ୍ରଶ୍ନ ହେଉଛି ନିଲାମ ହେବାପରେ ଏହି ସବୁ ୱାଟର ଏଟିଏମ୍ କଣ ହେବ କୁଆଡେ ଯିବ ତାର ଉତ୍ତର କାହା ପାଖରେ ନାହିଁ।





