ଫାର୍ମାସିଷ୍ଟ ଆନ୍ଦୋଳନକୁ ଡରିଗଲେ ସରକାର!, ରାଜ୍ୟରେ ଲଗାଇଲେ ଏସମା

ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ): ୧୨ ଦଫା ଦାବି ନେଇ ଆସନ୍ତା ଏପ୍ରିଲ ୧୭ ତାରିଖରେ ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି ଆନ୍ଦୋଳନରେ ରାଜ୍ୟର ପ୍ରାୟ ୬୫,୦୦୦ ଫାର୍ମାସିଷ୍ଟ ଓ ଫାର୍ମାସିଷ୍ଟ ଛାତ୍ରଛାତ୍ରୀ ମାନେ ଯୋଗ ଦେବାର ଥିଲା। ତେବେ ଏହି ଆନ୍ଦୋଳନ ପାଇଁ ଓଡ଼ିଶା ପୋଲିସ ତରଫରୁ ଅନୁମତି ଦିଆଯାଇନାହିଁ। ସେପଟେ ଗତକାଲି ରବିବାର ଛୁଟି ଦିନ ଥିବା ସତ୍ତ୍ୱେ ରାଜ୍ୟ ସରକାର ଓଡ଼ିଶା ଇସେନ୍ସିଆଲ ସର୍ଭିସ ମେଣ୍ଟେନାନ୍ସ ଆକ୍ଟ (ଏସମା) ୧୯୮୮ ଲାଗୁ କରିଛନ୍ତି। ଫଳରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ରାଜ୍ୟର କୌଣସି ଫାର୍ମାସିଷ୍ଟ ଆନ୍ଦୋଳନକୁ ଓହ୍ଲାଇ ପାରିବେ ନାହିଁ।

ସେପଟେ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଫାର୍ମାସିଷ୍ଟ ଆନ୍ଦୋଳନ ଫଳରେ ରାଜ୍ୟର ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଠପ୍ ହୋଇଯିବାର ଆଶଙ୍କା ଥିଲା। ସେଥିପାଇଁ ସରକାର ଆନ୍ଦୋଳନକୁ ଡରିଯାଇ ରାଜ୍ୟରେ ଏସମା ଲଗାଇଛନ୍ତି। ତେବେ ରାଜ୍ୟ ସ୍ତରରେ ନହେଲା ନାହିଁ ଏଥର ଜିଲ୍ଲା ସ୍ତରରେ ଏହି ଆନ୍ଦୋଳନ ଚାଲିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ପ୍ରତି ଜିଲ୍ଲାରେ ଆଜି ଜିଲ୍ଲାପାଳ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏବଂ ଡ୍ରଗ ଇନ୍ସପେକ୍ଟର ମାନଙ୍କୁ ଭେଟି ନିଜର ୧୨ ଦଫା ଦାବି ନେଇ ଦାବିପତ୍ର ଦେବାସହ ଫାର୍ମାସିଷ୍ଟ ମାନଙ୍କ ଦାବି କିଭଳି ପୂରଣ ହେବ ସେନେଇ ଆଲୋଚନା କରିବାକୁ ମହାସଂଘ ସ୍ଥିର କରିଛି।

Related Posts