ଆସନ୍ତା ୨୧ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ତେବେ କିଏ ହେବେ ନୂଆ ବାଚସ୍ପତି, ତାକୁ ନେଇ ଏବେ ଚର୍ଚ୍ଚା ଜୋରଦାର । ଅନ୍ୟପଟେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ପୂର୍ବତନ ମନ୍ତ୍ରୀ ଶଶୀଭୁଷଣ ବେହେରା ଓ ବଡ଼ଚଣା ବିଧାୟକ ଅମର ଶତପଥୀ ବାଚସ୍ପତି ରେସ୍ରେ ଥିବା ଚର୍ଚ୍ଚା ହେଉଛି। ସେପଟେ ମହିଳା ଚେହେରା ଭାବେ ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ମଧ୍ୟ ରେସରେ ରହିଛି |
ତେବେ ଗତ ମେ ମାସରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ | ପରେ ସେ ମନ୍ତ୍ରୀ ଭାବେ ଶପଥ ନେଇ ଏବେ ଅର୍ଥମନ୍ତ୍ରୀ ଥିବାବେଳେ ସେବେଠାରୁ ବିଧାନସଭାର ବାଚସ୍ପତି ପଦବୀ ଖାଲି ରହିଛି। ଉପବାଚସ୍ପତି ରଜନୀକାନ୍ତ ସିଂ କାର୍ଯ୍ୟକାରୀ ବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି |
ଅନ୍ୟପଟେ ଆସନ୍ତା ସେପ୍ଟେମ୍ୱର ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୧୮ ତାରିଖରେ ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଆବଶ୍ୟକ ହେଲେ 21 ତାରିଖରେ ନିର୍ଵାଚନ ହେବ | ହେଲେ ବିଧାନସଭାରେ ବିଜେଡିର ଏକେକ ସଂଖ୍ୟାଗରିଷ୍ଠତା ଥିବାରୁ ଦଳ ଯାହାକୁ ଚାହିଁବ ସେ ବାଚସ୍ପତି ହେବେ | ସେପଟେ ନିର୍ବାଚନ ଆଉ ଅଳ୍ପ କେଇଦିନ ଥିବାବେଳେ ଏହି ଗୁରୁତ୍ୱପୂର୍ଣ ସାମ୍ବିଧାନିକ ପଦବୀ କାହାକୁ ମିଳୁଛି ତାହା ଦେଖିବାକୁ ବାକି ରହିଲା |





