ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢ଼ାଉକୁ ନେଇ ବିବାଦ ଜୋର ଧରିଛି। ଉଭୟ ଆମ ଆଦମି ପାର୍ଟି ଓ ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଆପ ଭାଙ୍ଗି ଭାଜପାରେ ଯୋଗଦେଲେ ସିବିଆଇ ଏବଂ ଇଡି କେସ୍ ସବୁ ବନ୍ଦ ହୋଇଯିବ ବୋଲି ଭାଜପା ତାଙ୍କୁ ଅଫର୍ ଦେଇଥିବା ସିସୋଡିଆ କହିଛନ୍ତି।ସେପଟେ ଭାଜପା ଜାତୀୟ ମୁଖପାତ୍ର ଗୌରବ ଭାଟିଆ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି,ଆମ ଆଦମୀ ପାର୍ଟିର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଭାଜପା ଉଜାଗର କରିଛି। ମନୀଷ ସିସୋଡିଆ ଏବଂ ଆମ ଆଦମୀ ପାର୍ଟି ପାଖରେ ଏହାର କୌଣସି ଉତ୍ତର ନାହିଁ। ଆମେ ଆହୁରି ଏକ ବଡ଼ ଖୁଲାସା କରିବୁ। ମନୀଷ ସିସୋଡିଆ କହୁଛନ୍ତି ଭାଜପା ପକ୍ଷରୁ ଏକ ବାର୍ତ୍ତା ଆସିଛି। ମୁଁ କହିବାକୁ ଚାହେଁ, ଯାହାର ଚିନ୍ତାଧାରା ଏତେ ଛୋଟ ତାକୁ କିଏ ଭାଙ୍ଗିବ? ଆପକୁ ଟାର୍ଗେଟ କରି ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତୁମେ ସଚ୍ଚୋଟ, ତେବେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦିଅ। ଆପ ସରକାର ଆଣିଥିବା ଅବକାରୀ ନୀତିରେ କ’ଣ ଅଛି ତାହା ଜାଣିବାର ଜନସାଧାରଣଙ୍କର ଅଧିକାର ଅଛି। ଏହାର ଉତ୍ତର ସେମାନେ ପ୍ରଥମେ ଦିଅନ୍ତୁ। ଆଜି ନହେଲେ କାଲି କେଜ୍ରିଓ୍ବାଲଙ୍କ ଅହଙ୍କାର ଭାଙ୍ଗିବ ବୋଲି ଗୌରବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।





