ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଳୀରେ ସରକାରୀ ଅଧିକାରୀଙ୍କ ଉପରେ ନିଜର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବୈଧ କି ନୁେହଁ? କାହା ହାତରେ ରହିବ ଦିଲ୍ଲୀର ପ୍ରଶାସନିକ କ୍ଷମତା ? ଏହା ଉପରେ ବିଚାର କରିବ ସୁପ୍ରିମ କୋର୍ଟର ୪ ଜଣିଆ ସମ୍ବିଧାନ ବେଞ୍ଚ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି ଏଭଳି ସୂଚନା ଦେଇଛନ୍ତି। ତେବେ ଆସନ୍ତା ୨୦ ତାରିଖରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଏହି ଅଧ୍ୟାଦେଶକୁ ଚାଲେଞ୍ଜ କରି କେଜ୍ରିୱାଲ ସରକାର ପକ୍ଷରୁ ଆଗତ ପିଟଇସନର ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ ଆମେ ଏହି ମାମଲାକୁ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇବାକୁ ଚାହୁଛୁ। ସମ୍ବିଧାନ ବେଞ୍ଚ ସ୍ଥିର କରିବ କେନ୍ଦ୍ର ଏପରି ସଂଶୋଧନ କରିପାରିବ କି ନାହିଁ। ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି ଯେ ସମ୍ବିଧାନର ଧାରା ୨୪୬(୪) ସଂସଦକୁ ଭାରତର ଯେକୌଣସି ଅଞ୍ଚଳ ପାଇଁ ଏବଂ ଯେକୌଣସି ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାକୁ କ୍ଷମତା ଦେଇଛି।
କୋର୍ଟ ସୋମବାର ଦିଲ୍ଲୀ ସରକାରଙ୍କ ଆଉ ଏକ ଆବେଦନ ଉପରେ ମଧ୍ୟ ଶୁଣାଣି କରିଛନ୍ତି। ମାମଲା ଥିଲା ଦିଲ୍ଲୀ ବିଦ୍ୟୁତ୍ ନିୟାମକ ଆୟୋଗ (ଡିଇଆର୍ସି)ର ଅଧ୍ୟକ୍ଷ ନିଯୁକ୍ତିକୁ ନେଇ। ଶୁଣାଣି ବେଳେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ବେଞ୍ଚ କହିଛନ୍ତି ଯେ ଉଭୟ ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ପଦବିରେ ଅଛନ୍ତି। ସେମାନେ ବିବାଦରୁ ଉପରକୁ ଉଠିବା ଉଚିତ। ଉଭୟ ଏକାଠି ବସି ଡିଇଆର୍ସିର ଅଧ୍ୟକ୍ଷଙ୍କ ନାମ ସ୍ଥିର କରନ୍ତୁ ଏବଂ ଆମକୁ ଜଣାନ୍ତୁ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ ନକରି ଜୁନ୍ ୨୧ରେ ଉପରାଜ୍ୟପାଳ ଭିକେ ସାକ୍ସେନା ଉମେଶ କୁମାରଙ୍କୁ ଡିଇଆର୍ସିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲେ। ଜୁଲାଇ ୪ରେ ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି କରି ଉମେଶ କୁମାରଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇଥିଲେ।





