କିଏ ଜିତିବ ଝାରସୁଗୁଡ଼ା ବାଜି ?, ଆରମ୍ଭ ହେଲା ଭୋଟ୍ ଗଣତି

ଭୁବନେଶ୍ୱର,୧୩/୫(ସତ୍ୟପାଠ ବ୍ୟୁରୋ): କିଏ ଜିତିବ ଝାରସୁଗୁଡ଼ା ବାଜି ? କାହାକୁ ଦେଖିବାକୁ ପଡ଼ିବ ପରାଜୟର ମୁହଁ ? ଆଉ କିଛି ଘଣ୍ଟା ପରେ ମିଳିବ ଏହି ପ୍ରଶ୍ନର ଉତ୍ତର। ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଝାରସୁଗୁଡ଼ା ବଢ଼େଇମୁଣ୍ଡା ଇଂଜିନିୟରିଂ ସ୍କୁଲ ପରିସରରେ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା ଚାଲିଛି, ଏହାପରେ ଖୋଲିବ ଇଭିଏମ୍ । ମୋଟ ୨୫୩ଟି ବୁଥ ଥିବାବେଳେ ୧୪ ଟି ଟେବୁଲରେ ୧୮ଟି ରାଉଣ୍ଡରେ କରାଯିବ କାଉଣ୍ଟିଂ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗଣତି ହେବ ।

ତେବେ ଝାରସୁଗୁଡ଼ାର ପ୍ରମୁଖ ଯୋଦ୍ଧା ଥିଲେ ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ। ତିନି ଯୁବ ନେତା । ଯିଏ ବି ଜିତିବ ପ୍ରଥମ ଥର ବିଧାୟକ ହେବେ। ଏଥର ଝାରସୁଗୁଡ଼ା ଉପନିର୍ବାଚନରେ ୭୯.୨୧% ଭୋଟିଂ ହୋଇଥିଲା। ୨୦୧୯ଠାରୁ ସାମାନ୍ୟ ଅଧିକ। ୨୦୧୯ରେ ୭୮.୯୨% ଭୋଟିଂ ହୋଇଥିଲା ।

ଝାରସୁଗୁଡ଼ା ଉପନିର୍ବାଚନ ୨୦୧୯ ପରଠାରୁ ରାଜ୍ୟରେ ଅଷ୍ଟମ ଉପନିର୍ବାଚନ । ୨୦୧୯ ପରଠାରୁ ବରଗଡ଼ ଲୋକସଭା କ୍ଷେତ୍ରରେ ଚତୁର୍ଥ ଉପନିର୍ବାଚନ ହେଉଛି । ପୂର୍ବ ୭ଟି ଉପନିର୍ବାଚନ ମଧ୍ୟରୁ ୬ଟିରେ ଜିତିଛି ବିଜେଡି। ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗର ଓ ପଦ୍ମପୁରରେ ସଫଳତା ପାଇଥିଲା ବିଜେଡି । ଉପନିର୍ବାଚନରେ ବିଜେପିକୁ ଗୋଟିଏ କ୍ଷେତ୍ର ଧାମନଗରରେ ସଫଳତା ମିଳିଥିଲା । ସବୁ ଉପନିର୍ବାଚନରେ କଂଗ୍ରେସ ହାରିଛି । ବ୍ରଜରାଜନଗର ଓ ତିର୍ତ୍ତୋଲକୁ ଛାଡି ଦେଲେ ଅନ୍ୟ ସବୁଠି ଅମାନତ ହରାଇଥିଲେ କଂଗ୍ରେସ ପ୍ରାର୍ଥୀ । ଏଥର କଣ ହେବ । ଟ୍ରେଣ୍ଡ ବଦଳି ବ କି । ନବ ଦାସଙ୍କ ଝିଅ ବାପାଙ୍କ ଲିଗାସୀକୁ ଆଗକୁ ବଢାଇ ବଡ଼ ମାର୍ଜିନରେ ଜିତିବେ ନା ଟଙ୍କଧର ସଫଳ ହେବ । କଂଗ୍ରେସ ନିଜ ପରାଜୟ ଧାରାକୁ ରୋକି ପାରିବ କି । ତା ଉପରେ ରହିଛି ରାଜ୍ୟବାସୀଙ୍କ ନଜର।

Related Posts