ଲଢେଇ ବଦଳରେ ଲଣ୍ଡା ହେବାକୁ କର୍ମୀଙ୍କୁ କାହିଁକି ଆହ୍ୱାନ ଦେଲେ ଶରତ?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): 2024 ନିର୍ବାଚନ ପାଖେଇବା ସହିତ ଏବେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କର ବୟାନବାଜୀ ମଧ୍ୟ ଚର୍ଚ୍ଚିତ ହେଉଛି | ଏସବୁ ଭିତରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ରୋଚକ ବୟାନ ଏବେ ରାଜନୈତିକ ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି | 2024 ନିର୍ବାଚନରେ ନୂଆ କରି ଚାକିରୀ ଛାଡି ବିଜେଡିରେ ମିଶିଥିବା 5T ଅଧକ୍ଷ ଭିକେ ପାଣ୍ଡିଆନ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି | ଆଉ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମରେ ସାକ୍ଷାତକାର ଦେବା ଅବସରରେ ଏ ପ୍ରସଙ୍ଗରେ ପିସିସି ସଭାପତିଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା | ଆଉ ଜବାବରେ ଶରତ ଯାହା କହିଛନ୍ତି ତାକୁ ନେଇ ବିରୋଧିଙ୍କ ଅପେକ୍ଷା କଂଗ୍ରେସ ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି |

ଶରତ କହିଛନ୍ତି ଯେ, ଯଦି 24ରେ ବିଜେଡି ପୁଣି କ୍ଷମତାକୁ ଆସେ ଓ ଜଣେ ଅଣଓଡ଼ିଆ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବେ | କେବେଳ ସେ ନୁହଁ କଂଗ୍ରେସ କର୍ମୀମାନେ ମଧ୍ୟ ଲଣ୍ଡା ହେବେ ବୋଲି ସେ ଘୋଷଣା କହିଛନ୍ତି | ତେବେ ଶରତ, ପାଣ୍ଡିଆନଙ୍କୁ ହିଁ ନଜରରେ ରଖି ଏଭଳି ବୟାନ ଦେଇଥିଲେ | ଆଉ ଶରତଙ୍କ ଏହି ଜଵାବ ପରେ ତାଙ୍କୁ ପୁଣି ପ୍ରଶ୍ନ କରାଯାଇଥିଲା ଯେ, ପାଣ୍ଡିଆନ ଯଦି ନିର୍ବାଚନ ଲଢ଼ିବେ ନାହିଁ ତେବେ ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନ କେଉଁଠୁ ଉଠୁଛି | ଜବାବରେ ଶରତ କହିଥିଲେ ଯେ, ବିଜେଡି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ପାଇବା ପରେ ପାଣ୍ଡିଆନ ବ୍ୟାକ ଡୋର ଏଣ୍ଟ୍ରି କରି ବିଧାୟକ ଦଳ ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି |

ତେବେ ଏକ ପ୍ରମୁଖ ବିରୋଧୀ ଦଳର ସଭାପତି ଭାବରେ ଶରତଙ୍କ ଏହି ବୟାନ ନିଜ ଦଳୀୟ କର୍ମୀଙ୍କୁ ବିସ୍ମିତ କରିଛି | ଆଗକୁ ନିର୍ବାଚନ ଥିବା ବେଳେ ବିଜେଡି ଏବେ ଜଣେ ଅଣଓଡ଼ିଆଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଚୟନ କରିଛି | କୌଣସି ପଦପଦବୀରେ ନଥାଇ ମଧ୍ୟ ଦଳରେ ତାଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି | ଏଭଳି ସ୍ଥିତିରେ ବିଜେଡିର ଓଡ଼ିଆ ବିରୋଧୀ ରାଜନୀତି ବିରୋଧରେ ଶରତ ଲଢ଼ିବାକୁ ଆହ୍ୱାନ ନଦେଇ ଯେଭଳି ଲଣ୍ଡା ହେବାକୁ ଆହ୍ୱାନ ଦେଇଛନ୍ତି, ଏହା ତାଙ୍କର ଅପରିପକ୍ଵ ନେତୃତ୍ୱ ଓ ଅସହାୟତାକୁ ଦର୍ଶାଉଛି ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି | ଅନେକ ଦଳୀୟ କର୍ମୀଙ୍କ କହିବା କଥା ଏଭଳି ମନ୍ତବ୍ୟ ଦର୍ଶାଉଛି ଯେ, 24 ଫାଇନାଲ ମ୍ୟାଚ ପୂର୍ବରୁ ଶରତ ଏବେ କ୍ୟାପଟେନ ଜର୍ସି ଖୋଲିଦେଇ ସାରିଲେଣି | ତେବେ ଶରତ ପିସିସି ସଭାପତି ହେବା ଦିନଠାରୁ ଏପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ସରକାର ବିରୋଧରେ ବଡ ଆନ୍ଦୋଳନ ଟିଏ ଛିଡା କରି ପାରିଲେ ନାହିଁ | ଆଉ ନିର୍ବାଚନ ପୂର୍ବରୁ ଏଭଳି ମନ୍ତବ୍ୟ ଦେଇ ସେ ବୋଧେ କହିବାକୁ ଚାହୁଁଛନ୍ତି, ଲଣ୍ଡା ହୋଇଯିବି ପଛେ ବିଜେଡି ବିରୋଧରେ ଲଢ଼ିବି ନାହିଁ |

Related Posts