କାହିଁକି ମନ୍ତ୍ରୀ ହେଲେ ବିକ୍ରମ, ସୁଦାମ ଓ ସାରଦା; ନବୀନଙ୍କ ଅଛିଣ୍ଡା ଅଙ୍କକୁ ଏବେ ବି କଷୁଛନ୍ତି ନେତା

ଭୁବନେଶ୍ୱର,୨୨/୫(ସତ୍ୟପାଠ ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲା ନବୀନଙ୍କ ମନ୍ତ୍ରିମଣ୍ଡଳ । ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ଟିମ୍ ନବୀନରେ ସ୍ଥାନ ପାଇଛନ୍ତି । ଏମାନଙ୍କୁ ଅଭିଜ୍ଞତା ଓ ଆନୁଗତ୍ୟ ଆଧାରରେ ମନ୍ତ୍ରୀ କରାଯାଇଥିବା କୁହାଯାଉଥିଲେ ବି ଏହା ପଛରେ ଯେ ବିଜେଡ଼ିର ରାଜନୈତିକ ଓ ସାଂଗଠନିକ ଅସ୍ଥରିତା ସ୍ପଷ୍ଟ ବାରି ହୋଇପଡୁଛି । ଗଂଜାମ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ରେ ଦଳର ଗଡ଼ ଦୁର୍ବଳ ହେବା ଓ ବିରୋଧୀଙ୍କ ପତିଆରା ବୃଦ୍ଧି ନବୀନଙ୍କ ଚିନ୍ତାର କାରଣ ପାଲଟିଥିଲା । ତେଣୁ ୨୦୧୯ର ପ୍ରଭାବ ୨୦୨୪ ନିର୍ବାଚନରେ ପଡ଼ିବା ଆଗରୁ ନବୀନ ଆପ୍ଲାଏ କରିଛନ୍ତି ତୁଷ୍ଟିକରଣ ଫର୍ମୁଲା । ଯାହାକୁ ନେଇ ରାଜନୀତି ଜୋର ଧରିଛି ।

ବିକ୍ରମ କେଶରୀ ଆରୁଖ ଦକ୍ଷିଣ ଓଡ଼ିଶାର ଏକମାତ୍ର ନେତା ଯିଏ ୬ଥର ହେଲାଣି ଲଗାତର ଜିତି ଆସୁଛନ୍ତି । ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ଓ ଅନୁଭୂତି ପାଇଁ ୨୦୦୪ରୁ ସେ ଲଗାତାର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଆସୁଛନ୍ତି। କିନ୍ତୁ ଗତବର୍ଷ ସୂର୍ଯ୍ୟ ପାତ୍ରଂକ ଶାରୀରିକ ଅସୁସ୍ଥତା ପାଇଁ ତାଂକୁ କାଢି ବିକ୍ରମଂକୁ ବାଚସ୍ପତି କରାଯାଇ ମନ୍ତ୍ରିପଦରୁ ଅବ୍ୟାହତି ଦିଆଯାଇଥିଲା । ହେଲେ ଏଇ ବର୍ଷକ ଭିତରେ ଗୋପାଳପୁର, ଆସ୍କା, ଛତ୍ରପୁର ଭଳି ନିର୍ବାଚନମଣ୍ଡଳୀ ସମେତ ପୁରା ଗଂଜାମରେ ବିଜେଡ଼ି ଦୋହଲି ଯାଇଛି । ବାହାରକୁ ବେଶୀ ଦିଶୁ ନଥିଲେ ବି ଭିତରେ ଭିତରେ ବିଜେପିର ଶକ୍ତିବୃଦ୍ଧି ହୋଇଛି । ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଂଜାମରେ କଣ୍ଟା ହୋଇ ଛିଡା ହୋଇଛନ୍ତି। ତେଣୁ ବାଚସ୍ପତି ହେବାକୁ ବର୍ଷେ ନପରୁଣୁ ଆରୁଖଙ୍କୁ ପୁଣି ଟିମ୍ ନବୀନରେ ସାମିଲ କରାଯାଇଛି ।

ସେହିପରି ସୁନ୍ଦରଗଡ଼ କଥା ନ କହିବା ଭଲ । ଗତ ନିର୍ବାଚନରେ ଜିଲ୍ଲାର ୭ଟି ବିଧାନସଭା ଆସନରୁ ୩ଟି ଓ ସାଂସଦ ପଦ ପୋଛି ନେଇଥିଲା ବିଜେପି । ସିପିଆଇ(ଏମ୍‌) ଭଳି ଦଳ ଗୋଟିଏ ଆସନ ନେଇଗଲା । ବିଜେଡ଼ି ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହୋଇଥିବା ବେଳେ କଂଗ୍ରେସରୁ ଜଣେ ବିଧାୟକ ଜିତିଥିଲେ । ଏମିତି ସ୍ଥିତିରେ ବିଜେଡ଼ି ସେଠାରେ ସଂଗଠନ ବଢ଼ାଇବାକୁ ରାଉରକେଲାକୁ ଫୋକସ କରିଥିବା କୁହାଗଲା । ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ ଓ ହକି ଖେଳର ପରିଚାଳନାରେ ରାଉରକେଲା ବିଧାୟକ ସାରଦା ନାୟକଙ୍କ ବେଶ ହାତ ଥିଲା । ଖାଲି ସେତିକି ନୁହେଁଁ, ଜୁଏଲ ଓରାମ ବିଜେପିର ସାଂସଦ ଥାଇ ବି ବିଜେଡ଼ି ପଞ୍ଚାୟତ ନିର୍ବାଚନରେ ସାରଦାଙ୍କ ସାନଦାର ପ୍ରଦର୍ଶନ ଦେଖିଛି । ଅବଶ୍ୟ ସାରଦା ବିଜେପି ମୁହାଁ ହେଉଥିବା ଓ ବିଜେପି ସହ ଲିଙ୍କରେ ଥିବା ଚର୍ଚ୍ଚା ହେଉଥିବାରୁ ତାଙ୍କୁ ପୁଣିଥରେ ମନ୍ତ୍ରୀ କରି ନିଜ ପାଖରେ ରଖିବାରେ ନବୀନ ସଫଳ ହୋଇଛନ୍ତି । ଅନ୍ୟପଟେ ନବ ଦାସଂକ ହତ୍ୟା ପରେ ସୁନ୍ଦରଗଡର ହଜାର ହଜାର କୋଟି ଟଂକାର ମାଇନିଂ ଓ ଟ୍ରାନ୍ସପୋର୍ଟ ବ୍ୟବସାୟର ଡନ୍ କିଏ ହେବ ତାକୁ ନେଇ ସୁଶାନ୍ତ ସିଂ ଓ ନବ କ୍ୟଡର ଭିତରେ ଟଣାଓଟରା ଚାଲିଛି। ସେ ଦୃଷ୍ଟିରୁ ସୁଶାନ୍ତଂକୁ ନବୀନ ଦୂରେଇ ରଖିଲେ ବୋଲି କୁହାଯାଉଛି।

ଅନ୍ୟପଟେ ମୟୁରଭଂଜ ଗଣିତ ବିଜେଡ଼ି ପାଇଁ ଟିକେ ଅବୁଝା ଥିଲା । ବିରୋଧୀଙ୍କ ଶକ୍ତିବୃଦ୍ଧିକୁ ନଜରରେ ରଖି ମୋର୍ଚ୍ଚା ସମ୍ଭାଳିଥିଲେ ନିଜେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କିନ୍ତୁ ବରିଷ୍ଠ ନେତା ସୁଦାମ ମାର୍ଣ୍ଡି ଅସନ୍ତୁଷ୍ଟ ଥିଲେ । ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ସୁଦାମ କାଳେ ବିଜେଡ଼ି ଉପରେ ଅଭିମାନ କରି ପୁଣି ପୁରୁଣା ଦଳକୁ ଫେରିଯିବାର ସଙ୍କେତ ଦେଇଥିଲେ । ରାଜସ୍ୱ ମନ୍ତ୍ରୀରୁ ତାଙ୍କୁ ବାଦ୍ ଦେବା ତାଙ୍କ ଦକ୍ଷତାକୁ ଅପମାନିତ କରିଥିଲା ବୋଲି ତାଙ୍କ ସମର୍ଥକ କହୁଥିଲେ । ଯଦିଓ ସୁଦାମ କେବେ ମୁହଁ ଖୋଲି ନଥିଲେ କିନ୍ତୁ ତାଙ୍କ ନୀରବତାକୁ ବୁଝି ଅଘଟଣ ପୂର୍ବରୁ ସୁଦାମଙ୍କୁ ସନ୍ତୁଷ୍ଟ କରିଛନ୍ତି ନବୀନ । କାରଣ ମୟୁରଭଂଜରେ ଜେଏମଏମ ପୁଣି ଥରେ ସଂଗଠନ ମଜବୁତ କରୁଥିବା ଟେର ବିଜେଡିକୁ ମିଳିସାରିଛି।

ସବୁ ପରେ ବି ବିଜେଡ଼ିର ଏହି ଆକସ୍ମିକ ମନ୍ତ୍ରୀପଦ ବଂଟନ ପୁରୁଖା ଅସନ୍ତୁଷ୍ଟଙ୍କୁ ଅଟକାଇ ପାରୁଛି କି ନାହିଁ ଦେଖିବାର କଥା ।

Related Posts