‘ଆମ କ୍ରାଇମବ୍ରାଞ୍ଚ କଣ ଏତେ ଅପାରଗ ଯେ, ସିବିଆଇ ତଦନ୍ତ କରିବ’: ଭାଗିରଥୀ ସେଠୀ

ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ତେବେ ଗୃହ ଆରମ୍ଭରୁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ବାରମ୍ବାର ଗୃହରେ ହଟ୍ଟଗୋଳ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଯାହାଦ୍ୱାରା ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରିନାହିଁ ଓ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ସେପଟେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ବର୍ଷିଛି ବିଜେଡି । ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡକୁ ନେଇ ଗୃହରେ ଆଲୋଚନା ହୋଇଛି । ଏହା ପରେ ମଧ୍ୟ କାହିଁକି ବିରୋଧୀ ହଟ୍ଟଗୋଳ କରୁଛନ୍ତି । ବିରୋଧୀ କହିଦେଲେ କଣ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦେବେ? ଏହା ସମ୍ଭବ ନୁହେଁ । ଗୃହରେ ବିରୋଧୀଙ୍କର କିଛି ପ୍ରସଙ୍ଗ ନ ଥିବାରୁ ପ୍ରହସନ କରି ଗୃହକୁ ବନ୍ଦ ରଖୁଛନ୍ତି ।

ଭାଗିରଥି ଆହୁରି କହିଛନ୍ତି ଯେ, ଆଗକୁ ନିର୍ବାଚନ ଥିବାରୁ ଏହାକୁ ଇସ୍ୟୁ କରାଯାଉଛି । କ୍ରାଇମବ୍ରାଞ୍ଚ ନବ ବାବୁଙ୍କ ହତ୍ୟାର ତଦନ୍ତ କରୁଛି, ସମୟ ଲାଗିବ । କ୍ରାଇମବ୍ରାଞ୍ଚ ଅପରାଗ ନୁହେଁ, ବହୁତ ତଥ୍ୟ ବାହାର କରୁଛି । ସିବିଆଇ କଣ ଅଧିକ କରିବ, ଆମ ପୋଲିସ କଣ ଅପାରଗ । ବିରୋଧୀଙ୍କ କହିବା ହାସ୍ୟାସ୍ପଦ । ଓଡିଶାରେ ଅନେକ ମାମଲା ପୂର୍ବରୁ ସିବିଆଇ ନେଇଛି, ହେଲେ ତଦନ୍ତର ଫଳାଫଳ ଶୂନ । ଏହାସହ ନବ ଦାସଙ୍କ ଚରିତ୍ରକୁ ନେଇ ବିରୋଧୀ ଯେଉଁ ପ୍ରଚାର କରୁଛନ୍ତି ତାହାକୁ ନେଇ ଭାଗିରଥୀ କହିଛନ୍ତି, ଯାହାର ଚରିତ୍ର ଖରାପ, ସେ ଅନ୍ୟର ଚରିତ୍ରକୁ ଆକ୍ଷେପ କରେ । ସେ ସ୍ୱର୍ଗରେ ରହିଲେଣି, ବିରୋଧୀ ତାଙ୍କ ଚରିତ୍ର ସଂହାର କରିବାକୁ ନିନ୍ଦା କରୁଛି ବୋଲି କହିଛନ୍ତି ଭାଗିରଥୀ ।

ସେହିଭଳି ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ବିଜେପି ଓ କଂଗ୍ରେସ ବିଧାୟକ ବିଧାନ ସଭାକୁ ଯେପରି ବନ୍ଦ କରିଛନ୍ତି ସାଢେ଼ ଚାରି କୋଟି ଓଡିଆ ତାହା ଦେଖୁଛନ୍ତି । ସେମାନେ ଲୋକଙ୍କ ବିଭିନ୍ନ ସମସ୍ୟା ପ୍ରଶ୍ନକାଳରେ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉଠାଇବା କଥା । ହେଲେ ସେମାନେ ତାହା କରୁନାହାନ୍ତି । ୨୦୨୪ରେ ରାଜ୍ୟବାସୀ ଉଭୟ ଦଳକୁ ଏହାର ଜବାବ ଦେବେ । ଗୃହରେ ମୁଖ୍ୟମନ୍ତ୍ରୀ ମଧ୍ୟ ଜବାବ ଦେଇ ସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ବର୍ତ୍ତମାନ ବିରୋଧୀ ଭୟଭୀତ ବୋଲି ସୁଧୀର କହିଛନ୍ତି।

Related Posts