ବଜେଟ୍ ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ହେଉନି କାହିଁକି ?ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବଜେଟ୍‌ର ଅନୁମାନିତ ଅଟ୍ଟକଳ, ସଂଶୋଧିତ ଅଟ୍ଟକଳ ଓ ବର୍ଷ ଶେଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ଅର୍ଥ ସମ୍ପର୍କିତ ତଥ୍ୟ ସୋମବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଜମାନ ଚରଣ ମାଝୀ। 2019-20 ଠାରୁ 2024-25 ପର୍ଯ୍ୟନ୍ତ ରାଜ୍ୟ ବଜେଟ୍‌ର ଅଟ୍ଟକଳ, ସଂଶୋଧିତ ଅଟ୍ଟକଳ ଓ ମାର୍ଚ୍ଚ 31 ସୁଦ୍ଧା ହୋଇଥିବା ବ୍ୟୟର ବିବରଣୀ ସଦନରେ ରଖାଯାଇଥିବା ଏକ ପରିଶିଷ୍ଟରେ ସଂଲଗ୍ନ କରାଯାଇଛି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ନହେବା ପଛରେ କିଛି ପ୍ରମୁଖ କାରଣ ରହିଛି। ବଡ଼ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ଟେଣ୍ଡର ପ୍ରକ୍ରିୟା ଓ ପ୍ରଶାସନିକ ଅନୁମୋଦନ ପାଇଁ ଅଧିକ ସମୟ ଲାଗୁଥିବାରୁ ବ୍ୟୟରେ ବିଳମ୍ବ ହୁଏ। ସେଥିପରି ଜମି ଅଧିଗ୍ରହଣ ଓ ଜଙ୍ଗଲ ମଞ୍ଜୁରି ପ୍ରକ୍ରିୟାରେ ବିଳମ୍ବ ହେବାରୁ ଅନେକ ପ୍ରକଳ୍ପରେ ଅର୍ଥ ଖର୍ଚ୍ଚ ହୋଇପାରେ ନାହିଁ।ଏହା ସହ କେନ୍ଦ୍ରୀୟ ଅନୁଦାନ ବିଳମ୍ବରେ ମିଳିବା, ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା ଓ ବନ୍ୟା, ଏବଂ ନିର୍ବାଚନ ସମୟରେ ଆଚରଣ ବିଧି ଲାଗୁ ହେବା ଭଳି କାରଣରୁ ମଧ୍ୟ ବଜେଟ୍ ବ୍ୟୟ ପ୍ରଭାବିତ ହୁଏ। ଅନେକ ସମୟରେ ପ୍ରତିସ୍ପର୍ଧାମୂଳକ ଟେଣ୍ଡର ଯୋଗୁଁ ଅନୁମାନିତ ବ୍ୟୟ ଠାରୁ କମ ଖର୍ଚ୍ଚରେ କାମ ସମାପ୍ତ ହୋଇଥାଏ, ଯାହାକୁ ସରେଣ୍ଡର ବା ଅଖର୍ଚ୍ଚ ଅର୍ଥ ଭାବେ ଗଣନା କରାଯାଏ।ସରକାରୀ ପାଣ୍ଠିର ସଠିକ୍ ପରିଚାଳନା ପାଇଁ ରାଜ୍ୟ ସରକାର ‘ଜଷ୍ଟ-ଇନ୍-ଟାଇମ୍ ଫଣ୍ଡିଂ ସିଷ୍ଟମ୍’ (JiTFS) ଲାଗୁ କରିଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ବ୍ୟବସ୍ଥା ମାଧ୍ୟମରେ ଆବଶ୍ୟକତା ଅନୁଯାୟୀ ସମୟମତେ ଅର୍ଥ ମଞ୍ଜୁରି ଦିଆଯାଉଛି, ଯାହା ଫଳରେ ସରକାରୀ ପାଣ୍ଠିର ସଠିକ୍ ବ୍ୟବହାର ଓ ପାରଦର୍ଶିତା ବୃଦ୍ଧି ପାଇଛି।

Related Posts