ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଭିନେତ୍ରୀ ତଥା ରାଜନେତ୍ରୀ ସୋନାଲୀ ଫୋଗଟ୍ଙ୍କର ଏପରି ଅଚାନକ ମୃତ୍ୟୁ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହା ପରେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଗୋଟାଏ ପରେ ଗୋଟାଏ ପରଦା ହଟିବାରେ ଲାଗିଛି। ତାଙ୍କ ମୃତ୍ୟୁ ମାମଲାର ତଦନ୍ତ କରି ଗୋଆ ପୁଲିସ୍ ଶୁକ୍ରବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ତେବେ ସୋନାଲୀ ଯେଉଁ କ୍ଲବ୍ ଯାଇଥିଲେ ସେଠାରୁ ଡ୍ରଗ୍ସ ଜବତ ହୋଇଥିବାରୁ ପୁଲିସ୍ କ୍ଲବ୍ ମାଲିକକୁ ଗିରଫ କରିଛି। ଯେଉଁଭଳି ଭାବେ ସୋନାଲୀଙ୍କ ମୃତ୍ୟୁ ମାମଲାରେ ପୁଲିସ ଡ୍ରଗ୍ସ ମାମଲାକୁ ଟାଣୁଛି, ସୋନାଲୀଙ୍କ ମୃତ୍ୟୁ ମାମଲାର ଅବସ୍ଥା ସୁଶାନ୍ତଙ୍କ ମୃତ୍ୟୁ ମାମଲା ଭଳି ହେବ ବୋଲି ପରିବାର ଆଶଙ୍କା କରୁଛନ୍ତି।
ସୋନାଲୀଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ତାଙ୍କୁ ହତ୍ୟା କରାଯାଇଥିବା ନେଇ ସୁଶାନ୍ତଙ୍କ ପରିବାର ଏବେ ବି କହୁଛନ୍ତି। ରିୟା ଚକ୍ରବର୍ତ୍ତୀ ତାଙ୍କୁ ଡ୍ରଗ୍ସ ଦେଇଥିଲେ। ହେଲେ ସବୁ ପରେ ସେ ବର୍ତ୍ତମାନ ଜେଲ୍ ବାହାରେ ଅଛନ୍ତି। ମାମଲା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା ଡ୍ରଗ୍ ସେବନ କିମ୍ବା ଡ୍ରଗ୍ ରଖିବାର ମାମଲା ନଥିଲା। ତାହା ଏକ ହତ୍ୟା ମାମଲା ଥିଲା। ହେଲେ ପୁଲିସ ମାମଲାର ଦିଗ ବଦଳାଇଦେଇଥିଲା।ସୋନାଲୀଙ୍କ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ ବୋଲି ଆମେ ଦାବି କରୁଛୁ। ଯଦି ସୋନାଲୀଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ ପ୍ରମାଣ ନକରେ, ତେବେ ଆମେ ସିବିଆଇ ଯାଞ୍ଚ ଏବଂ ନାର୍କୋ ପରୀକ୍ଷା ପାଇଁ ଦାବି କରିବୁ।
ତେବେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଅନେକ କଳାକାରଙ୍କ ନାଁ ସାମ୍ନାକୁ ଆସିଥିଲା। ତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟ ବଡ଼ ବଡ଼ ବ୍ୟକ୍ତିତ୍ବଙ୍କ ନାଁ ସାମ୍ନାକୁ ଆସିଥିଲେ ବି ମୁମ୍ବାଇ ପୁଲିସ ଏହାକୁ ଡ୍ରଗ୍ସ ସହ ଯୋଡ଼ି ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ଚପାଇ ଦେଇଥିଲା। ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ ତାହାର ତଦନ୍ତ ପରିବର୍ତ୍ତେ ପୁଲିସ ଡ୍ରଗ୍ସ ବ୍ୟବସାୟୀଙ୍କ ଉପରେ ଚଢ଼ଉ ଆରମ୍ଭ କରିଥିଲା। ସୋନାଲୀଙ୍କ ମୃତ୍ୟୁ ମାମଲାର ଦିଗ ମଧ୍ୟ ଡ୍ରଗ୍ସ ଆଡକୁ ଯାଉଥିବା ବେଳେ ସୁଶାନ୍ତଙ୍କ ଭଳି ସୋନାଲୀଙ୍କ ଅବସ୍ଥା ହେବ ବୋଲି ଅଭିନେତ୍ରୀଙ୍କ ପରିବାର ଆଶଙ୍କା କରୁଛନ୍ତି।





