ଚାଲିଯିବ କି ବିଧାୟକ ପଦ?; ଅରୁଣଙ୍କୁ ହାଇକୋର୍ଟଙ୍କ ନୋଟିସ

ଭୁବନେଶ୍ୱର,୬/୮(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ଅନିୟମିତତା ମାମଲାରେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ | ନିଜ ନିର୍ବାଚନ ସତ୍ୟପାଠରେ ଅରୁଣ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ସେ ନିର୍ବାଚନ ସତ୍ୟପାଠରେ ନିଜର ସମ୍ପତ୍ତି ଭୁଲ ଦର୍ଶାଇଥିବା ଅଭିଯୋଗ କରିଛନ୍ତି ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ | ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ତଥା ଜନପ୍ରତିନିଧି ଆଇନରେ ଥିବା ବ୍ୟବସ୍ଥାକୁ ଅଣଦେଖା କରିଥିବାରୁ ଅରୁଣଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ପ୍ରତ୍ୟୁସା ନିଜ ଆବେଦନରେ ଦର୍ଶାଇଛନ୍ତି | ମାମଲାକୁ ଗ୍ରହଣ କରି କୋର୍ଟ ଅରୁଣ ସାହୁଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଅଗଷ୍ଟ ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତେବେ ଚଳିତ ବିଧାନସଭା ନିର୍ବାଚନରେ ନୟାଗଡ଼ ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଶେଷରେ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହଙ୍କୁ ମାତ୍ର ୪୩୯ ଖଣ୍ଡ ଭୋଟରେ ହରାଇଥିଲେ ଅରୁଣ ସାହୁ। ଏବେ ଅରୁଣଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ଆସିଥିବା ବେଳେ ମାମଲା ହାଇକୋର୍ଟରେ ପହଂଚିଛି |

ଠିକ ସେହିଭଳି ଗତକାଲି ମଧ୍ୟ 4 ନିର୍ବାଚିତ ବିଧାୟକଙ୍କୁ ନୋଟିସ ଜାରି କରିଥିଲେ ହାଇକୋର୍ଟ | ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜଳେଶ୍ୱର ବିଧାୟକ ଅଶ୍ବିନୀ ପାତ୍ର ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି | ଏମାନଙ୍କ ବିରୋଧରେ ମଧ୍ୟ ନିର୍ବାଚନୀ ଅନିୟମିତତା ଅଭିଯୋଗ ଆସିଛି |

Related Posts