ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି । ଏନେଇ ଆଜି ରାଜଭବନରେ ୨୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ହେଲେ ନବୀନଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ପାୱାରଫୁଲ ନେତାଙ୍କୁ ବାଦ ଦେଇ ନୂଆ ମୁହଁଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବାର ଦେଖିବାକୁ ମିଳିଛି । କାହିଁକିନା ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବାଦ୍ ଦେଇ ଏଥର ନବୀନଙ୍କ ନୂଆ ଟିମରେ ଏହି ସ୍ଥାନ ପାଇଛନ୍ତି ତୁଷାରକାନ୍ତି ବେହେରା । ସେହିପରି ଅରୁଣ ସାହୁଙ୍କ ସ୍ଥାନରେ ସ୍ୱାଧିନ ରାଷ୍ଟ୍ରମନ୍ତ୍ରୀ ଭାବେ ଉଚ୍ଚଶିକ୍ଷା ଦାୟିତ୍ୱ ତୁଲାଇବେ ରୋହିତ୍ ପୂଜାରୀ । ଯୁବ ଚେହେରା ତଥା ନୂଆ ମୁହଁ ପ୍ରୀତିରଞ୍ଜନ ଘଡାଇଙ୍କୁ ଗ୍ରାମୀଣ ବିକାଶ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।
ସେପଟେ ଫାଇଦାରେ ରହିଛି ପଶ୍ଚିମ ଓଡ଼ିଶା । ନବୀନଙ୍କ ପଞ୍ଚମ ପାଳିର ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ୬ ଜଣ ବିଧାୟକଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ନୂଆ ମନ୍ତ୍ରିମଣ୍ଡଳରେ ୭ ଜଣଙ୍କ ନାଁ ରହିଛି ।ଅନ୍ୟପଟେ ମନ୍ତ୍ରିମଣ୍ଡଳରୁ ୧୨ ଜଣ ବାଦ ପଡ଼ିଛନ୍ତି । ସେମାନେ ହେଲେ ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାର୍ଣ୍ଡିର୍, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ ଓ ପ୍ରେମାନନ୍ଦ ନାୟକ । ପ୍ରତାପ ଜେନା, ଅରୁଣ ସାହୁ ଓ ଦିବ୍ୟଶଙ୍କର ମିଶ୍ରଙ୍କ ପରି ମନ୍ତ୍ରୀମାନେ ନୂଆ ତାଲିକାରେ ନାହାନ୍ତି ।





