୧୦ ପିସିସି ପ୍ରତିନିଧିଙ୍କ ସମର୍ଥନ ଥିଲେ ଲଢି ପାରିବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ଆବଶ୍ୟକ ନାହିଁ ଗାନ୍ଧୀ ପରିବାରର ଅନୁମତି: ଜୟରାମ ରମେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳର ନୂତନ ଅଧ୍ୟକ୍ଷ ଚୟନ ପାଇଁ ହେଉଥିବା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଗାନ୍ଧୀ ପରିବାର ଠାରୁ ଅନୁମତିର ଆବଶ୍ୟକତା ନାହିଁ। ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିମ୍ବା ଏହାର ନେତା ରାହୁଲ ଗାନ୍ଧୀ କାହାରି ଠାରୁ ହେଲେ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଆବଶ୍ୟକତା ନାହିଁ ବୋଲି ବୁଧବାର ଦିନ କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ତଥା ଦଳର ଯୋଗାଯୋଗ ପ୍ରଭାରୀ ଜୟରାମ ରମେଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆଶୟୀ ପ୍ରାର୍ଥୀଙ୍କ ନିକଟରେ ଯଦି ୧୦ଜଣ ପିସିସି ପ୍ରତିନିଧିଙ୍କ ସମର୍ଥନ ଥାଏ ତେବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ନାମାଙ୍କନ ଦାଖଲ କରିବାକୁ କଂଗ୍ରେସ ସଭାପତି କିମ୍ବା ରାହୁଲ ଗାନ୍ଧୀଙ୍କ ଅନୁମତି ନେବାର କାହାରିକୁ ଆବଶ୍ୟକତା ନାହିଁ। ନିର୍ବାଚନ ନିରପେକ୍ଷ ଏବଂ ସ୍ୱଚ୍ଛ ହେବ। ଦେଶର ଅନ୍ୟ ସମସ୍ତ ରାଜନୈତିକ ଦଳ ସେମାନଙ୍କ ଦଳର ମୁଖ୍ୟ ଚୟନ ପାଇଁ ନିର୍ବାଚନ କରନ୍ତି ନାହିଁ ବୋଲି ସେ କହିଛନ୍ତି।

ଏଥି ସହିତ କଂଗ୍ରେସ ନେତା ଜୟରାମ ରମେଶ ଏହା ମଧ୍ୟ କହିଛନ୍ତି ଯେ କାମରାଜ ମଡେଲ ଅନୁଯାୟୀ ସହମତି ଆଧାରରେ ଦଳର ସଭାପତି ଚୟନରେ ସେ ବିଶ୍ୱାସ କରନ୍ତି। ଏପ୍ରସଙ୍ଗରେ ସେ କିମ୍ବଦନ୍ତୀ କଂଗ୍ରେସ ନେତା କେ କାମରାଜଙ୍କ ଦୃଷ୍ଟିକୋଣ ଦର୍ଶାଇ କହିଛନ୍ତି ଯେ କାମରାଜ ବିଶ୍ୱାସ କରୁଥିଲେ ଦଳର ନେତୃତ୍ୱ ନେବା ପାଇଁ ସମସ୍ତଙ୍କ ସହ ଆଲୋଚନା କରି ଉପଯୁକ୍ତ ଏବଂ ସମସ୍ତଙ୍କ ସହମତି ଆଧାରରେ ଜଣେ ବ୍ୟକ୍ତିଙ୍କୁ ପସନ୍ଦ କରାଯିବା ଉଚିତ।ତେବେ, ଯଦି ସହମତି ସମ୍ଭବ ନୁହେଁ; ତେବେ ନିର୍ବାଚନ ହେବା ଉଚିତ୍। ଆମେ ନିର୍ବାଚନ କରିବାରୁ ପଳାୟନ କରୁନାହୁଁ ବୋଲି ସେ କହିଛନ୍ତି। ତେବେ, ନିର୍ବାଚନରେ କିଏ ସବୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ସେ ଜାଣନ୍ତି ନାହିଁ ବୋଲି ରମେଶ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନାମାଙ୍କନ ଦାଖଲ କରିବେ କି ନାହିଁ ଏବଂ ଯଦି ସେ କରନ୍ତି, ତେବେ ରାଜସ୍ଥାନରେ କ’ଣ ହେବ ସେ ତାହା ମଧ୍ୟ ଜାଣି ନଥିବା କହିଛନ୍ତି।

Related Posts