ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣିଥରେ ଏସିଆ କପ ବିଜେତା ହୋଇଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍। ଆଜି ମହିଳା ଏସିଆ କପ୍ ଟି-୨୦ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଚମ୍ପିଆନ ହୋଇଛି ଭାରତୀୟ ଦଳ। ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏହାସହିତ ଆଜି ଶ୍ରୀଲଙ୍କାକୁ ହରାଇବା ପରେ ୭ମ ଥର ପାଇଁ ଏସିଆ କପରେ ବିଜୟ ମୁକୁଟ ପିନ୍ଧିଛି ଭାରତୀୟ ମହିଳା କ୍ରିକେଟ ଟିମ୍।
ସୂଚନାଯୋଗ୍ୟ ଯେ, ଏସିଆ କପର ଏହା ଅଷ୍ଟମ ସିଜିନ ଥିଲା । ଅର୍ଥାତ ଗୋଟିଏ ଥର କେବଳ ଭାରତୀୟ ମହିଳା କ୍ରିକେଟ ଟିମ୍ ହାତରୁ ଏସିଆ କପ ଚାଲିଯାଇଥିଲା । ବାକି ୭ ଥର ଦଳ ଏହି କପକୁ ଜିତି ଦେଶପାଇଁ ଗୌରବ ଆଣିଛି ।
ଚଳିତ ବର୍ଷ ଏସିଆ କପ୍ ବାଂଲାଦେଶରେ ଖେଳାଯାଉଥିବା ବେଳେ ସିରିଜର ସମସ୍ତ ମ୍ୟାଚ ସିଲହଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଛି । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ । ଶ୍ରୀଲଙ୍କା ଟିମ୍ ୯ ୱିକେଟ ହରାଇ ମୋଟ ୬୫ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା ।ହେଲେ ଭାରତୀୟ ଟିମ୍ ଆରମ୍ଭରୁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ୮.୩ ଓଭର ଖେଳି ମୋଟ ୨ ଟି ୱିକେଟ ହରାଇ ମ୍ୟାଚ ବିଜୟୀ ହୋଇଛି ।





