ପରୀକ୍ଷା ଦେବାକୁ ଆସିଥିବା ମହିଳାଙ୍କ ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ

ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ନିଜ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ। ମାଲକାନଗିରିର ଏହି ମହିଳା କନେଷ୍ଟବଳ ମାନବିକତାର ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଜଣେ ମାଆ ପରୀକ୍ଷା ଦେଉଥିବାବେଳେ ପରୀକ୍ଷା କେନ୍ଦ୍ରରେ ଛୁଆକୁ କାଖେଇ ତା’ର ଯତ୍ନ ନେଇଥିଲେ ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ(୨୮)। ଏପରିକି ଶିଶୁକୁ ସ୍ତନ୍ୟପାନ କରାଇ ଉଦାହରଣ ପାଲଟିଛନ୍ତି। ଗତକାଲି ମାଲକାନଗିରିରେ କନେଷ୍ଟବଳ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ହେଉଥିଲା। ଜଣେ ମହିଳା ପରୀକ୍ଷା ଦେବାକୁ ଆସିଥିଲେ। ତାଙ୍କ କୋଳରେ କଅଁଳା ଶିଶୁ ଥିଲା। ଶିଶୁକୁ ଧରି ପରୀକ୍ଷା ଦେବା ତାଙ୍କ ପକ୍ଷରେ ସମ୍ଭବ ନଥିଲା।

ଏତିକି ବେଳେ ମଣିଷପଣିଆ ଦେଖାଇ ସହାୟତା ପାଇଁ ଆଗେଇ ଆସିଥିଲେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ। ସେହି ପରୀକ୍ଷା କେନ୍ଦ୍ରରେ ସେ ମୁତୟନ ହୋଇଥିଲେ। କଅଁଳା ଶିଶୁକୁ କାଖେଇ ପରୀକ୍ଷା ଶେଷ ହେବା ଯାଏଁ ନିଜ ପାଖରେ ରଖି ଯତ୍ନ ନେଇଥିଲେ କନେଷ୍ଟବଳ ବାସନ୍ତୀ ଚୌଧୁରୀ। ଭୋକିଲା ଶିଶୁକୁ ସ୍ତନ୍ୟପାନ କରାଇ ସେ ଏକ ନିଆରା ଊଦାହରଣ ସୃଷ୍ଟି କରିଛନ୍ତି ସେ। ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରି ଟ୍ୱିଟ୍ କରିଛି ମାଲକାନଗିରି ପୁଲିସ। ଉଭୟ ମହିଳା କନେଷ୍ଟବଳ ଓ ପ୍ରତିକୂଳ ପରିସ୍ଥିତିରେ କନେଷ୍ଟବଳ ପରୀକ୍ଷା ଦେବାକୁ ଆସିଥିବା ମହିଳାଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ପ୍ରଶଂସା କରାଯାଇଛି।

Related Posts