ନିର୍ମାଣ ସାମଗ୍ରୀ ମୂଲ୍ୟ ନିର୍ଦ୍ଧାରଣ ନେଇ ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର, ୬ ମାର୍ଚ୍ଚ: ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ଗୁଣବତ୍ତାଯୁକ୍ତ ସାମଗ୍ରୀ ବ୍ୟବହାର ସହିତ ସଠିକ୍‌ ମୂଲ୍ୟ ନିର୍ଦ୍ଧାରଣ ଅତ୍ୟାବଶ୍ୟକ ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଶୁକ୍ରବାର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ର ସରକାର ଓ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ନିୟମାବଳୀ ସହିତ ଅନ୍ୟାନ୍ୟ ରାଜ୍ୟରେ ଲାଗୁ ହୋଇଥିବା ନିର୍ମାଣ ସାମଗ୍ରୀ ମୂଲ୍ୟକୁ ଆଧାର କରି ଓଡ଼ିଶାରେ ସର୍ବୋତ୍ତମ ମୂଲ୍ୟ ନିର୍ଦ୍ଧାରଣ କିପରି କରାଯିବ, ସେନେଇ ଆଲୋଚନା କରାଯାଇଥିଲା।ବୈଠକରେ ବାଲି, ଗୋଡ଼ି, ଇଟା ଭଳି ପ୍ରାଥମିକ ସାମଗ୍ରୀ ସହ ଇନ୍ଡୋର ଓ ଆଉଟ୍ଡୋର ନିର୍ମାଣ ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ, ପ୍ରି-ଫେବ୍ରିକେଟେଡ୍ ସାମଗ୍ରୀ ଓ କୋଠାବାଡ଼ି ନିର୍ମାଣରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ସଠିକ୍‌ ମୂଲ୍ୟ ନିର୍ଦ୍ଧାରଣ ଉପରେ ଚର୍ଚ୍ଚା ହୋଇଥିଲା। ପରିବହନ ଖର୍ଚ୍ଚକୁ ମଧ୍ୟ ଏହି ମୂଲ୍ୟ ନିର୍ଦ୍ଧାରଣରେ ଧ୍ୟାନରେ ରଖାଯିବ ବୋଲି କୁହାଯାଇଛି।ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ନିର୍ମାଣ ସାମଗ୍ରୀର ଗୁରୁତ୍ୱକୁ ଉଲ୍ଲେଖ କରି ମନ୍ତ୍ରୀ ହରିଚନ୍ଦନ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବା ପାଇଁ ସମ୍ବନ୍ଧିତ ଅଧିକାରୀମାନଙ୍କୁ ନିଦେଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଇଆଇସି-ତଥା-ସ୍ୱତନ୍ତ୍ର ଶାସନ ସଚିବ ଇଂ. ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ଡିଜାଇନ) ଇଂ. ସମୀର ହୋତା, ଇଆଇସି (ସିଭିଲ୍) ଇଂ. ସତ୍ୟବ୍ରତ ବେହେରା, ଇଆଇସି (ରୋଡ୍ସ) ଇଂ. ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ଇଂ. ପ୍ରିୟବ୍ରତ ସାମନ୍ତରାୟ, ଇଂ. ଶିବବ୍ରତ ତରିଆ ଓ ଅର୍ଥ ପରାମର୍ଶଦାତା ରତୀକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related Posts