ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ : ଜାଭେଲିନ୍ ଫାଇନାଲରେ ଓଡ଼ିଆ ପୁଅ କିଶୋର ଜେନା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଇତିହାସ ରଚିଲେ ଓଡ଼ିଆ ପୁଅ କିଶୋର ଜେନା। ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସରେ ଅଂଶଗ୍ରହଣ କରିଥିବା କିଶୋର ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ର ଯୋଗ୍ୟତା ପର୍ଯ୍ୟାୟର ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଟପ୍‌ ୧୨ରେ ରହିବାକୁ ସକ୍ଷମ ହୋଇଛନ୍ତି।ସେ ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ତାଲିକାର ୯ନଂ ସ୍ଥାନରେ ରହିଛନ୍ତି।

ଓଡ଼ିଶାର କିଶୋର ଜେନା ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସିନିୟର୍ ଆଥଲେଟିଲ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏହାବାଦ ସେ ଲେବନାନ ଓ ଶ୍ରୀଲଙ୍କା ରେ ଅନୁଷ୍ଠିତ ଆଥଲେଟିଲ୍ସସ ଚାମ୍ପିଅନସିପରେ ଭାଗ ନେଇ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪.୩୮ ମିଟର। ତେଣୁ ଫାଇନାଲରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତ। ଏଥିସହ ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ପାଇଁ ୮୫.୫୦ ମିଟର ଦୂରତା ଧାର୍ଯ୍ୟ କରାଯାଇଛି। ଯଦି ଏହି ଦୂରତାକୁ କିଶୋର ଅତିକ୍ରମ କରିପାରିବେ ନୀରଜଙ୍କ ସହ ଅଲିମ୍ପିକ୍ସ ଖେଳିବାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରିବେ।

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଭାରତରୁ ୩ ଜଣ ପ୍ରତିନିଧିତ୍ୱ କରିଥିଲେ। ସେମାନଙ୍କ ମଧ୍ୟରୁ ସମସ୍ତ ତିନି ଜଣ ଖେଳାଳି ଫାଇନାଲକୁ ଯାଇଛନ୍ତି। ଏହି ତିନି ଜଣ ହେଲେ କିଶୋର ଜେନା, ନିରୋଜ ଚୋପ୍ରା ଓ ଡି ପି ମନୁ। ନୀରଜ ଚୋପ୍ରା ୮୮.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଥିଲେ। ସେହିପରି ଭାରତର ଅନ୍ୟତମ ଜାଭେଲିନ ଖେଳାଳି ଡିପି ମନୁ ୮୧.୩୧ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଫାଇନାଲ ଟିକେଟ ହାତେଇଛନ୍ତି। ଏହାର ଅର୍ଥ ଭାରତର ୩ ଜଣ ଖେଳାଳି ଫାଇନାଲ ରାଉଣ୍ଡରେ ପଦକ ପାଇଁ ଟକ୍କର କରିବେ।

Related Posts