କୁସ୍ତିଯୋଦ୍ଧାଙ୍କ ଘୋଷଣା: ‘ଏଣିକି ରାସ୍ତାରେ ଆନ୍ଦୋଳନ ନୁହେଁ କୋର୍ଟରେ ଲଢ଼େଇ ଚାଲିବ’

ଭୁବନେଶ୍ୱର, ୨୬/୦୬ (ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତିଯୋଦ୍ଧା ମହାସଂଘର ବିଦାୟୀ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦେଶର ଆଗଧାଡିର ମହିଳା କୁସ୍ତିଯୋଦ୍ଧାମାନେ ଚଳାଇଥିବା ଆନ୍ଦୋଳନକୁ ଏବେ ଏକ ପ୍ରକାର ସ୍ଥଗିତ ରଖିଛନ୍ତି। ଏହି ଆନ୍ଦୋଳନ ଆଉ ରାସ୍ତାରେ ହେବ ନାହିଁ, ବରଂ ଅଦାଲତରେ ଚାଲିବ ବୋଲି ରବିବାର କିଛି କୁସ୍ତିଯୋଦ୍ଧା କହିଛନ୍ତି।

କୁସ୍ତିଯୋଦ୍ଧା ଭିନେଶ ଫୋଗଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ସମାନ ଧରଣର ଟ୍ବିଟ କରିଛନ୍ତି। ନିଜ ଟ୍ୱିଟରେ ସେମାନେ କହିଛନ୍ତି ଯେ, ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଚାର୍ଜସିଟ ଦାଖଲ ନେଇ ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ। କିନ୍ତୁ ଲଢ଼େଇ ରାସ୍ତାରେ ନୁହେଁ, ଅଦାଲତରେ ହେବ ବୋଲି ସେମାନେ ଟ୍ବିଟ କରିଛନ୍ତି।

ସେପଟେ ଭାରତୀୟ କୁସ୍ତିଯୋଦ୍ଧା ମହାସଂଘରେ ସଂସ୍କାର, ନିର୍ବାଚନ ପକ୍ରିୟା ପ୍ରତିଶ୍ରୁତି ମୁତାବକ ଆରମ୍ଭ ହୋଇଛି। ସରକାରଙ୍କ ଏସବୁ ପ୍ରତିଶ୍ରୁତି ପୂରଣ ନେଇ କୁସ୍ତିଯୋଦ୍ଧାମାନେ ଜୁଲାଇ ୧୧ ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି କହିଛନ୍ତି।

Related Posts