ଭୁବନେଶ୍ୱର,୨୭/୪(ସତ୍ୟପାଠ ବ୍ୟୁରୋ): କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନର ଦେଶର ଛବି ମଳିନ କରୁଛି। ରେସଲରମାନେ ରାସ୍ତାରେ ଆନ୍ଦୋଳନ ନ କରି ଆଥଲେଟ୍ କମିଶନଙ୍କୁ ଆସନ୍ତୁ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏସନ କହିଛି। ଆଇଓରେ କାର୍ଯ୍ୟକାରୀ କମିଟି ବୈଠକ ସରିବା ପରେ ଏପରି କହିଛନ୍ତି ଅଧ୍ୟକ୍ଷ ପିଟି ଉଷା।
ତେବେ ଦେଶର ଏକାଧିକ କୁସ୍ତି ଯୋଦ୍ଧା ଭାରତୀୟ କୁସ୍ତି ଯୋଦ୍ଧା ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି।ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିବା ସହ ତାଙ୍କୁ କ୍ଷମତାରୁ ହଟାଇବାକୁ ଦାବି କରିଛନ୍ତି। ଭାରତର ପ୍ରମୁଖ କୁସ୍ତି ଯୋଦ୍ଧା, ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ଶାଖି ମଲ୍ଲିକ ପୁଣିଥରେ ଜନ୍ତରମନ୍ତର ଆସି ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି। କୁସ୍ତି ଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ପାଣ୍ଠିର ଦୁରୁପଯୋଗ ଓ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି।
ତେବେ କୁସ୍ତି ଯୋଦ୍ଧାଙ୍କର ଏଭଳି ଆନ୍ଦୋଳନରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛି ଭାରତୀୟ ଅଲିମ୍ପିକ ସଂଘ। ରେସ୍ଲରମାନେ ଯାହା କରୁଛନ୍ତି ସେଥିରେ ଦେଶରେ ଛବି ଖରାପ ହେଉଛି। ସେମାନେ ଏମିତି ରାସ୍ତାରେ ଆନ୍ଦୋଳନ କରିବା କଥା ନୁହେଁ। ଆନ୍ଦୋଳନ କରିବାର ଗୋଟେ ବାଟ ରହିଛି। ରାସ୍ତାରେ ଆନ୍ଦୋଳନ ନ କରି ସେମାନେ ଆଥଲେଟ କମିଶନଙ୍କ ପାଖକୁ ଆସିବା ଦରକାର ବୋଲି ଆଇଓଏ ଅଧ୍ୟକ୍ଷ ପିଟି ଉଷା କହିଥିଲେ।।
ଅନ୍ୟପଟେ ଉଷାଙ୍କ ମନ୍ତବ୍ୟରେ ଜବାବ ରଖିଛନ୍ତି ଗତବର୍ଷ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶାଖି ମଲ୍ଲିକ। ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ବାରମ୍ବାର ଉଦ୍ୟମ କରିବା ପରେ ନା ପୁଲିସ ନା ଆଇଓଏ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ମୁଁ ପିଟି ଉଷାଙ୍କୁ ସମ୍ମାନ କରେ। ଆମ ପାଇଁ ସେ ଏକ ପ୍ରେରଣାର ଉତ୍ସ। କିନ୍ତୁ ପଚାରିବାକୁ ଚାହେଁ ଯେ ମ୍ୟାମ୍ ମହିଳା କୁସ୍ତି ଯୋଦ୍ଧମାନେ ଆଗକୁ ଆସି ଶୋଷଣ ବିରୋଧରେ ସ୍ୱର ଉଠାଉଛନ୍ତି। ଆମେ ଆନ୍ଦୋଳନ ବି କରିପାରିବୁ ନାହିଁ। ଆଇଓଏ କମିଟିରେ ଆମେ ଆମ ପ୍ରତିକ୍ରିୟା ଦେଇଛୁ। କମିଟିର ସଦସ୍ୟ ମାମଲାକୁ ଗୁରୁତ୍ୱ ଦେଲେ ଓ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରିତଶ୍ରୁତି ଦେଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି।’





