ତୁମେ ଆମ ବିଧାୟକ ନେଲ, ଆମେ ତୁମ ବୋହୂକୁ ନେଲୁ- ଯୋଗୀଙ୍କ କ୍ୟାମ୍ପରେ ଯୋଗ ଦେଲେ ମୁଲାୟମଙ୍କ ବୋହୂ ଅପର୍ଣ୍ଣା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ସପ୍ତାହ ବାକି ରହିଛି । ଏନେଇ ସମସ୍ତ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀଙ୍କୁ ନେଇ ରଣନୀତି ପ୍ରସ୍ତୁତ ମଧ୍ୟ କରିସାରିଲେଣି । ହେଲେ ଶାସକ ବିଜେପି ଦଳ ଓ ବିରୋଧୀ ସମାଜବାଦୀ ଦଳର ନେତାମାନଙ୍କର ଦଳବଦଳ ପରମ୍ପରା ଏପର୍ଯ୍ୟନ୍ତ ଶେଷ ହୋଇନି । କେତେବେଳେ ବିଜେପିର ଟାଣୁଆ ନେତା ଯାଇ ସମାଜବାଦୀ ପାର୍ଟିରେ ମିଶୁଛନ୍ତି ତ ଆଉ କେତେବେଳେ ସ୍ୱଂୟ ଯାଦବ ପରିବାରର ସଦସ୍ୟ ବିଜେପିରେ ମିଶିବାର ଖବର ସାମ୍ନାକୁ ଆସିଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟିକୁ ଆଜି ବଡ଼ ଝଟକା ମିଳିଛି । ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ମିଶିଛନ୍ତି । ଅପର୍ଣ୍ଣା ଯାଦବ ହେଉଛନ୍ତି ମୁଲାୟମ ସିଂ ଯାଦବଙ୍କ ସାନପୁଅ ପ୍ରତୀକ ଯାଦବଙ୍କ ପତ୍ନୀ। ସେପଟେ ଅପର୍ଣ୍ଣା ଯାଦବ ବିଜେପିରେ ପ୍ରବେଶ କରିବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଶକ୍ତ ଝଟକା ଲାଗିଛି । ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଥିବାବେଳେ ନିଜ ଘରର ବୋହୂ ବିରୋଧୀ ଦଳ ସହ ମିଶିବା ସମାଜବାଦୀ ପାର୍ଟିକୁ ଅନେକ ବଡ଼ କ୍ଷତିରେ ପକାଇପାରେ ।

ଅନ୍ୟପଟେ ବିଜେପିରେ ଯୋଗ ଦେବା ପରେ ଅପର୍ଣ୍ଣା କହିଛନ୍ତି ଯେ ମୁଁ ବିଜେପି ପାଇଁ ବହୁତ କୃତଜ୍ଞ । ମୋ ପାଇଁ ଦେଶ ସର୍ବଦା ପ୍ରଥମରେ ଆସେ । ମୁଁ ପିଏମ ମୋଦୀଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି ବୋଲି ଅପର୍ଣ୍ଣା ଯାଦବ କହିଛନ୍ତି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ଆଜି ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥିରେ ଏହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ଅପର୍ଣ୍ଣା ଯାଦବ ବିଜେପିରେ ମିଶିବେ ବୋଲି ଦିଲ୍ଲୀରେ ମଧ୍ୟ ପହଞ୍ଚି ସାରିଥିବାର ଖବର ସାମ୍ନାକୁ ଆସିଛି । ଏନେଇ ବିଜେପି ନେତା ଅରୁଣ ଯାଦବ ଟ୍ୱିଟ କରି ସୂଚନା ଦେବା ପାଇଁ ଅପର୍ଣ୍ଣାଙ୍କର ବିଜେପିରେ ମିଶିବା କଥା ସ୍ପଷ୍ଟ ହୋଇଯାଇଛି । ଅନ୍ୟପଟେ ବିଜେପି ନେତାଙ୍କ ଆଗରେ ମଧ୍ୟ ଅପର୍ଣ୍ଣା ଯାଦବଙ୍କର ଅନେକ ରାଜନୈତିକ ଘନିଷ୍ଠତା ରହିଛି। ଅପର୍ଣ୍ଣା୨୦୧୭ ମସିହା ବିଧାନସଭା ନିର୍ବାଚନ ଏବଂ ଲକ୍ଷ୍ନୌ କ୍ୟାଣ୍ଟରୁ ୨୦୧୯ ମସିହାରେ ବିଧାନସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ତଥାପି ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ସେପଟେ ୨୦୧୭ ମସିହାରେ ହିଁ ଅପର୍ଣ୍ଣା ବିଜେପିରେ ମିଶିବା ନେଇ କଳ୍ପନା ଜଳ୍ପନା ଚାଲିଥିଲା । ଏପରିକି ସେହି ସମୟରେ ଅପର୍ଣ୍ଣା ଦୁଇଥର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଭେଟିଥିଲେ କିଛି ଦିନ ପୂର୍ବରୁ ଅପର୍ଣ୍ଣା ଯାଦବଙ୍କର ବିଜେପିରେ ମିଶିବା କଥାରେ ପ୍ରତିକ୍ର୍ରିୟା ଦେଇ ଶିବପାଲ ସିଂହ ଯାଦବ ବଡ଼ ବୟାନ ଦେଇଥିଲେ । ତେବେ ଅପର୍ଣ୍ଣା ପ୍ରଥମମେ ସମାଜବାଦୀ ପାର୍ଟିରେ ରୁହନ୍ତୁ । ଦଳରେ ରହି ଲୋକକଲ୍ୟାଣ କାର୍ଯ୍ୟ କରନ୍ତୁ । ଏହା ପରେ ଟିକେଟ ପାଇଁ ଆଶା ରଖିବେ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଥିଲେ । ୪୦୩ ଜଣ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫେବୃଆରୀ ୧୦ ତାରିଖରୁ ସାତୋଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ସେପଟେ ନିର୍ବାଚନର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

Related Posts