ପାଣ୍ଡିଆନଙ୍କ ସୁରକ୍ଷା ଗାଡି ଧକ୍କାରେ ଯୁବକ ମୃତ; କ୍ଷତିପୂରଣ ସହ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ):     ଗଜପତି ଜିଲ୍ଲା ପରିସଲ୍ ଛକରେ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଜୋର ଧରିଲା ରାଜନୀତି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିବା ଗାଡ଼ି ଏକ ପୋଲିସ ବୋଲି କହିଛି କଂଗ୍ରେସ ।

ତେବେ ଏହି ଘଟଣାରେ ହିଟ ଆଣ୍ଡ ରନ୍ ଲାଗୁ ହେବ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଏହା ସହ ବିଜୟ କହିଛନ୍ତି ଯାହାଙ୍କ ସିକ୍ୟୁରିଟି ପାଇଁ ଗାଡ଼ି ନିୟୋଜିତ ହୋଇଥିଲା ତାଙ୍କର କର୍ତ୍ତବ୍ୟ ଥିଲା ପରିବାରକୁ ଭେଟିବା ଓ କ୍ଷତିପୂରଣ ଦେବା । ଏହି ଘଟଣାରେ ଏଯାଏଁ ପାଣ୍ଡିଆନ କି ମୁଖ୍ୟମନ୍ତ୍ରୀ କାହିଁକି ପ୍ରତିକ୍ରିୟା ରଖୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଏହାସହ ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରିଛି ।

ଗତକାଲି ଦୁର୍ଘଟଣାରେ ପରିସଲ ଗାଁର ସରସ ଆନନ୍ଦଙ୍କ ମୃତ୍ୟୁ ହୋଇଥିଲା। ରାମଗିରିରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇ ଗାଁକୁ ଫେରୁଥିବାବେଳେ ପରିସଲ୍ ଛକ ନିକଟରେ ସରକାରୀ ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆର.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କଂଗ୍ରେସର ଅଭିଯୋଗ ନେଇ ପାଣ୍ଡିଆନ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।

Related Posts